ଚାକିରି ଦେବା ବାହାନାରେ ଟଙ୍କା ନେଇ ୨ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୨ ଅଭିଯୁକ୍ତଙ୍କୁ କଟକରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଟକ ସହରାଞ୍ଚଳର ଗାୟତ୍ରୀ ବିଶ୍ୱାଳ ଏବଂ ଶୁଭ ସନ୍ତୋଷ କାନୁନଗୋ। ବର୍ଷକ ତଳେ ଉଭୟଙ୍କ ବିରୋଧରେ ଝାରସୁଗୁଡ଼ା ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବାବେଳେ ପୁଲିସ ଭୟରେ ଫେରାର ଥିଲେ। ଗତ ୨୦୧୯ ଅକ୍ଟୋବର ମାସରେ ମୟୁରଭଞ୍ଜର ସୁବ୍ରତ କୁମାର ବେହେରା ନାମକ ବ୍ୟକ୍ତି ଝାରସୁଗୁଡ଼ା ଥାନାରେ ଏକ ଏତଲା ଦେଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଅଭିଯୁକ୍ତଦ୍ୱୟ ଫୋନ କରି ଭୁବନେଶ୍ୱରର ଗୁପ୍ତା ପାୱାର ଲିମିଟେଡ ନାମକ ଏକ କମ୍ପାନୀରେ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିଲେ। ଚାକିରୀ ପାଇଁ ପଞ୍ଜିକରଣ, ପ୍ରସେସିଂ ଫି’ ଏବଂ ୟୁନିଫର୍ମ ଆଦି ବାବଦକୁ ୧୦ ହଜାର ଟଙ୍କା ଅନଲାଇନ ପଠାଇବାକୁ ଅଭିଯୋଗକାରୀଙ୍କୁ କହିଥିଲେ। ଫୋନ ପେ ମାଧ୍ୟମରେ ଉକ୍ତ ଟଙ୍କା ଟ୍ରାନ୍ସଫର କରିବା ପରେ ଚାକିରି ଆଉ ମିଳିନଥିଲା କି ସେମାନେ ଫୋନ ମଧ୍ୟ ଉଠାଇ ନଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଆଜି କଟକରୁ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଇନସ୍ପେକ୍ଟର ସାବିତ୍ରୀ ବଳ କହିଛନ୍ତି।