ଏଟିଏସକୁ ବଡ ସଫଳତା, ୨ ଆଲକାଏଦା ଆତଙ୍କବାଦୀ ଗିରଫ

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ଏଟିଏସର ବଡ଼ ଅପରେସନ। କାକୋରି ଅଞ୍ଚଳରୁ ଗିରଫ ହେଲେ ୨ ଆଲକାଏଦା ଆତଙ୍କବାଦୀ। ସୂଚନା ଅନୁସାରେ, ଲଖନଉର କାକୋରି ଅଞ୍ଚଳରେ ଏକ ଘରେ ଆଲକାଏଦାର ଆତଙ୍କୀ ଲୁଚିଥିବା ନେଇ ଏଟିଏସକୁ ଖବର ମିଳିଥିଲା। ଏହାପରେ ଏଟିଏସ୍ ସ୍ଥାନୀୟ ଅଞ୍ଚଳରେ ଚଢ଼ଉ କରି ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ କାବୁ କରିଛି। ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେମାନଙ୍କର ସମ୍ପର୍କ ଆଲକାଏଦା ଆତଙ୍କବାଦୀ ସଙ୍ଗଠନ ସହ ଥିବା କୁହାଯାଉଛି। ଏଟିଏସ୍ ଏହି ୨ ଯୁବକଙ୍କୁ ଗିରଫ କରି ପଚରାଉଚୁରା କରୁଛି।

ସୂଚନାଯୋଗ୍ୟ, ପ୍ରାୟ ତିନି ବର୍ଷ ପୂର୍ବେ କାକୋରି ଅଞ୍ଚଳରେ ଆତଙ୍କବାଦୀ ସୈଫୁଲ୍ଲାହର ଏନକାଉଣ୍ଟର ହୋଇଥିଲା। ୨୦୧୭ ମାର୍ଚ୍ଚ ୮ରେ ପ୍ରାୟ ୧୧ ଘଣ୍ଟାର ଅପରେସନ ପରେ ଆତଙ୍କବାଦୀ ସୈଫୁଲ୍ଲାହର ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ସୈଫୁଲ୍ଲାହ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।