ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ ଲରମ୍ଭା ସେକ୍ସନର ଦୈତାରିମୁଣ୍ଡା ଗ୍ରାମରୁ ୨ଟି ଅଜଗର ସାପ ଉଦ୍ଧାର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳୁ ଜୈନିକ ବ୍ୟକ୍ତି ଗ୍ରାମର ମୁଣ୍ଡରେ ଥିବା ପତ୍ରା ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବାବେଳେ ୨ଟି ଅଜଗର ସାପକୁ ଦେଖିବାକୁ ପାଇଥିଲେ । ଏନେଇ ଗାଁ ଲୋକଙ୍କୁ ଏବଂ ଜଙ୍ଗଲ ବିଭାଗର ଗାର୍ଡ ଶ୍ୟାମ ସାହୁଙ୍କୁ ଖବର ଦେଇଥିଲେ । ପରେ ଗାର୍ଡ ଶ୍ୟାମ ସାହୁ ଲରମ୍ଭା ଫରେଷ୍ଟକୁ ଖବର ଦେଇଥିଲେ । ଫଳରେ ଲରମ୍ଭା ଫରେଷ୍ଟର ପ୍ରିୟବ୍ରତ ନାୟକ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଟି ଅଜଗରକୁ ଉଦ୍ଧାର କରିଥିଲେ । ଗୋଟିଏ ଅଜଗର ୧୨ କେଜି ଥିବାବେଳେ ୭ଫୁଟ ଲମ୍ବ ରହିଛି । ଅନ୍ୟଟି ୧୦କେଜି ଥିବାବେଳେ ୫ ଫୁଟ ଲମ୍ବା ରହିଥିବା ଫରେଷ୍ଟର କହିଛନ୍ତି । ଅଜଗର ସାପକୁ ଦେଖିବାକୁ ଗ୍ରାମରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଉଦ୍ଧାର ହୋଇଥିବା ୨ଟି ଅଜଗର ସାପକୁ ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଲରମ୍ଭା ଫରେଷ୍ଟର କହିଛନ୍ତି । ଏହି ଅଜଗର ସାପକୁ ଧରିବାରେ ଫରେଷ୍ଟ ଗାର୍ଡ ଶ୍ୟାମ ସୁନ୍ଦର ସାହୁ, ବାବୁଲଲ ସିଂ, ମହନ ସାହୁ, ପୂର୍ଣ୍ଣ ଚନ୍ଦ୍ର ଥାପା, ହରିଶ ଚନ୍ଦ୍ର ସାହୁ ଓ ବନରଖି ସୁନ୍ଦର ରାମ ସାଏ ସହଯୋଗ କରିଥିଲେ ।