ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ନିର୍ଯ୍ୟାତନା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କ ରାଗିଂ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ଗ୍ରହଣ କରିଛି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଡେପୁଟି କଲେକ୍ଟର କୈବଲ୍ୟ କିଶୋର କର, ବନମାଳୀ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସାଧନା ଦାସ ଓ ଦେବଗଡ଼ ଆଦର୍ଶ ଥାନା ପୁଲିସ ମହିଳା ସ୍ୱାସ୍ଥ୍ୟକର୍ମୀ ଛାତ୍ରୀ ନିବାସରେ ପହଞ୍ଚି ଦୀର୍ଘ ୪ ଘଣ୍ଟାରୁ ଉର୍‌ଦ୍ଧ୍ୱ ସମୟ ଧରି ପୀଡ଼ିତା ଛାତ୍ରୀ ଓ ସହପାଠିନୀଙ୍କୁ ଜେରା କରିଥିଲେ । ଆଜି ପୀଡ଼ିତା ଛାତ୍ରୀଙ୍କ ଅଭିଭାବକମାନେ ଛାତ୍ରୀ ନିବାସରେ ପହଞ୍ଚି ଅନୁଷ୍ଠାନରୁ ଛାତ୍ରୀଙ୍କ ନାମ କାଟି ଘରକୁ ନେଇଯିବା ନିଷ୍ପତ୍ତି ନେଇଥିବା ପୀଡିତା ଛାତ୍ରୀ କଳ୍ପନା କିସାନଙ୍କ ବାପା ଅଚ୍ୟୁତ କିସାନ ପ୍ରକାଶ କରିଛନ୍ତି । ତେବେ ତଦନ୍ତ ଶେଷ କରି ଛାତ୍ରୀ ନିବାସରୁ ବାହାରିବା ପରେ ତଦନ୍ତକାରୀ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିବା ସହ ହାତଯୋଡ଼ି ସେମାନଙ୍କୁ କାର୍ଯ୍ୟ କରିବାକୁ ଦେବାକୁ ଅନୁରୋଧ କରିଥିଲେ ।

ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲା ଭୋଜପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟଲାବାହାଳ ଗ୍ରାମର ବିବାହିତା ଆଦିବାସୀ ଛାତ୍ରୀ କଳ୍ପନା କିସାନ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇ ହଷ୍ଟେଲରେ ରହୁଥିଲେ । ଉକ୍ତ ହଷ୍ଟେଲରେ ରହୁଥିବା ୪ଜଣ ସିନିୟର ଛାତ୍ରୀ ତାଙ୍କୁ ଗତ ୩ ମାସ ହେବ ବିଭିନ୍ନ ପ୍ରକାର ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ କଳ୍ପନା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଆଣ୍ଟି ରାଗିଙ୍ଗ ସ୍କ୍ୱାର୍ଡ ନିକଟରେ ଅଭିଯୋଗ କରି ଅନୁଷ୍ଠାନରୁ ନାମ କାଟି ନେବାକୁ ଅନୁରୋଧ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗତକାଲି ରାତିରେ ପ୍ରଶିକ୍ଷଣ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସାଧନା ଦାସ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଅନୁଷ୍ଠାନର କର୍ମଚାରୀଙ୍କୁ ନେଇ ରାତି ଅଧିଆ ତଦନ୍ତ ଆରମ୍ଭ କରିଥିଲେ ।