ସିଂହାବଗାରେ ପ୍ରଥମ ଥର ପାଇଁ ହେଲା ପକ୍ଷୀ ଗଣନା: ୨୨ ପ୍ରଜାତିର ୮୨୦ରୁ ଊର୍ଦ୍ଧ୍ୱ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶୀତ ଦିନ ଆରମ୍ଭ ହେଉ ହେଉ ଇବ ଓ ଭେଡେନ ନଦୀର ପଛୁଆ ପାଣିରେ ଝାରସୁଗୁଡ଼ା ବ୍ଲକ୍ ଜମେରା ପଞ୍ଚାୟତ ସିହଂବଗା ଗ୍ରାମରେ ତିଆରି ହୋଇଥିବା ଜଳରାଶିକୁ ପ୍ରତିବର୍ଷ ଦେଶ ବିଦେଶରୁ ବହୁ ପକ୍ଷୀ ଆସିଥାନ୍ତି। ତେବେ ଏହି ଅଞ୍ଚଳକୁ କେଉଁଠାରୁ ଓ କେତେ ପ୍ରକାର ପକ୍ଷୀ ଆସୁଛନ୍ତି ତାହା ଜାଣିବା ପାଇଁ ଚଳିତ ବର୍ଷ ପ୍ରଥମ କରି ସିଂହାବଗାରେ ପକ୍ଷୀ ଗଣନା କରାଯାଇଛି। ଚଳିତବର୍ଷ ସିଂହାବଗାକୁ ୨୨ ପ୍ରଜାତିର ୮୨୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ପକ୍ଷୀ ଆସିଥିବା ଜଣାପଡ଼ିଛି। ଏଥିସହିତ ସିଂହାବଗା ଅଞ୍ଚଳରେ ପକ୍ଷୀ ଗଣନା ଶେଷ ହୋଇଥିବା ଝାରସୁଗୁଡ଼ା ବନଖଣ୍ଡ ଡିଏଫ୍ଓ ଲଳିତ କୁମାର ପାତ୍ର କହିଛନ୍ତି।

ଚଳିତ ବର୍ଷ ଏଠାକୁ ସାଇବେରିଆ, କେନ୍ଦ୍ରୀୟ ଏସିଆ, ଋଷ, ପଶ୍ଚିମ ୟୁରୋପ ଆଦି ସ୍ଥାନରୁ ଅତିଥି ପକ୍ଷୀଙ୍କ ଆଗମନ ହୋଇଥିବା ପକ୍ଷୀ ଗବେଷକ ଆଶିଷ ଶୁକ୍ଲା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ଟି ନୂଆ ପ୍ରଜାତିର ବିଦେଶୀ ପକ୍ଷୀ ଯେଉଁମାନେ କି ବହୁ ଉଚ୍ଚରେ ଉଡ଼ନ୍ତି ସେମାନଙ୍କର ଉପସ୍ଥିତି ଏଥର ପ୍ରଥମ କରି ଦେଖିବାକୁ ମିଳିଛି। ପ୍ରାୟ ୮ ବର୍ଷ ହେଲା ସିଂହାବଗା ଅଞ୍ଚଳରେ ପକ୍ଷୀଙ୍କ ଆଗମନ, ସେମାନଙ୍କର ପ୍ରଜାତି ଏବଂ ଅନ୍ୟାନ୍ୟ ଗତିବିଧି ଉପରେ ସେ ତଥ୍ୟ ସଂଗ୍ରହ କରି ଆସୁଥିବା ଶ୍ରୀ ଶୁକ୍ଳା କହିଛନ୍ତି। ଚଳିତବର୍ଷ ସିଂହାବଗାରେ ଲିଜର ହ୍ୱିସଲିଂ, କମନ ପେଚାର୍ଡ, ଡକ୍, ଟପ୍ଟେଡ଼୍ ଡ଼କ୍, ଗ୍ରେଡକ୍ରେଷ୍ଟେଡ଼୍, ଗ୍ରେବ୍, କମନ୍ କୋର୍ଟ, ଲିଟିଲ କର୍ମୋରାଣ୍ଟ, ବ୍ଲାକ୍ ହେଡେଡ୍ ଗଲ୍, ବ୍ରାଉନ ହେଡେଡ ଗଲ୍, ରେଡ଼୍ କ୍ରେଷ୍ଟେଡ଼୍, ପୋଚାର୍ଡ଼, ପର୍ପଲ୍ ସ୍ୱୟମହେନ୍, ପର୍ପଲ୍ ମୋରହେନ୍, ବ୍ରଞ୍ଜ ଉଇଙ୍ଗ ଜାକାଜା, ପର୍ପଲ୍ ହେରୋନ୍, କୋମନ୍ ଷ୍ଟିଲଟ୍, ୱାଟର ହେନ୍ ପରି ପକ୍ଷୀ ଦେଖିବାକୁ ମିଳିଛନ୍ତି।

ଝାରସୁଗୁଡ଼ା ବନଖଣ୍ଡ ଡିଏଫ୍ଓ ଲଲିତ କୁମାର ପାତ୍ର୍ରଙ୍କ ସୂଚନା ଅନୁଯାୟୀ ଝାରସୁଗୁଡ଼ା ବନଖଣ୍ଡକୁ ସମୁଦାୟ ୬ଟି ସେକ୍ଟରରେ ବିଭକ୍ତ କରାଯାଇ ପକ୍ଷୀ ଗଣନା କରାଯାଉଛି। ଯେଉଁଥିରେ ଜାମଗାଁ, ଝାରୁପଡ଼ା, ରଂପାଲୁଗା, ତିଲିଆ ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ। ତେବେ ଡିଏଫ୍ଓଙ୍କ ନେତୃତ୍ୱରେ ସିଂହାବଗା ଅଞ୍ଚଳରେ ଏସିଏଫ୍ ସୁଶ୍ରୀ ସସ୍ମିତା ସାହୁ, ପକ୍ଷୀ ଗଣନା ବିଶେଷଜ୍ଞ, ବିଭାଗୀୟ ରେଞ୍ଜ ଅଧିକାରୀ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ଅନ୍ୟ କର୍ମଚାରୀମାନେ ପକ୍ଷୀ ଗଣନା କାର୍ଯ୍ୟର ତଦାରଖ କରିଥିଲେ।