ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ: ବାଲିଗୁଡାରେ ୮୧.୦୨ ପ୍ରତିଶତ ମତଦାନ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାରେ ପ୍ରଥମ ପର୍ଯାୟରେ ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ଭୋଟ ଗ୍ରହଣ ଶେଷ ହୋଇଛି । ବାଲିଗୁଡ଼ାରେ ୮୧.୦୨ ପ୍ରତିଶତ ମତଦାନ ହୋଇଥିବାବେଳେ କ.ନୂଆଗାଁରେ ୭୧.୬୬ ପ୍ରତିଶତ ହୋଇଥିବା ଜଣାପଡ଼ିଛି । ବୁଧବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରବଳ ଥଣ୍ଡା ଯୋଗୁ ୮ଟା ଯାଏ ଅନେକ ବୁଥ ମାନ୍ଦା ରହିଥିବାବେଳେ ୮ଟା ପରେ ଧୀରେଧୀରେ ଭୋଟରଙ୍କ ଭିଡ଼ ନଜର ଆସିଥିଲା । ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ, ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଆଜି ଭୋଟ ହୋଇଥିଲା । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇ ଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି । ଏହି ୨ ବ୍ଲକ୍ ପାଇଁ ୨,୧୬୦ଜଣ କର୍ମଚାରୀ ନିୟୋଜିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି ୨ ବ୍ଲକରେ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ହେବ ସେଥିପାଇଁ ବାଲିଗୁଡ଼ା ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ କ.ନୂଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ସତର୍କ ନଜର ରଖିଥିଲେ । ସେହିପରି ଏହି ୨ ବ୍ଲକରେ ମହିଳାଙ୍କ ପାଇଁ ୨ଟି ଲେଖାଏଁ ପିଙ୍କ ବୁଥ ମଧ୍ୟ କରାଯାଇଥିଲା । ଏଥିରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ୨ ବ୍ଲକରେ ନିୟୋଜିତ ହୋଇଥିବା ନିର୍ବାଚନର ପୋଲିଂ ପାର୍ଟି ଗାଡ଼ି ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ଅବସ୍ଥାରେ ଫେରିଥିବା ଜଣାପଡ଼ିଛି ।