ପାକିସ୍ତାନରୁ ଆସିଥିବା ୧୯୧ କିଲୋ ହେରୋଇନ୍ ମୁମ୍ବାଇରେ ଜବତ

ମୁମ୍ବାଇ,ଏଜେନ୍ସି: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ମୁମ୍ବାଇରୁ ୧୯୧ କିଲୋ ହେରୋଇନ ଜବତ କରିଛି। ଆନ୍ତର୍ଜାତିକ ବଜାରରେ ଏହି ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୧ ହଜାର କୋଟି ଟଙ୍କା ହେବ। ଡିଆରଆଇର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବୀ ମୁୁମ୍ବାଇର ନୱା ସେବା ପୋର୍ଟରେ ଜବତ ହୋଇଥିବା ଏହି ନିଶା ଦ୍ରବ୍ୟ ଆଫଗାନିସ୍ଥାରୁ ପାକିସ୍ତାନ ଓ ପାକିସ୍ତାନରୁ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପହଞ୍ଚିଛି । ବର୍ହିଶୁଳ୍କ ଓ ଡିଆରଆଇ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହି ସଫଳତା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଡିଆରଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିଶା ମାଫିଆମାନେ ଏହି ଡ୍ରଗ୍ସକୁ ପ୍ଲାଷ୍ଟିକ ପାଇପ ମଧ୍ୟରେ ଲୁଚାଇ ଆଣିଥିଲେ। ପ୍ଲାଷ୍ଟିକ ପାଇପଗୁଡିକୁ ବାଉଁଶ ପରି ରଙ୍ଗ ଦିଆଯାଇଥିଲା ଓ ଏହାକୁ ଆୟୁର୍ବେଦୀୟ ଔଷଧ ବୋଲି କୁହାଯାଇଥିଲା। ଏହି ଘଟଣାରେ ଆମଦାନୀ କାଗଜପତ୍ର ପ୍ରସ୍ତୁତ କରିଥିବା ଦୁଇ କଷ୍ଟମ ହାଉସର ଏଜେଣ୍ଟଙ୍କୁ ଗିରଫ କରାଯାଇଛି।