ଗତବର୍ଷ ତୁଳନାରେ ଅଧିକ ଡାଲି ସଂଗ୍ରହ ହୋଇଛି : ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ପ୍ରାୟ ଦଶକୋଟି ଟଙ୍କାରୁ ଅଧିକ ମୂଲ୍ୟର ଡାଲି ଓ ତୈଳବୀଜ ଗତବର୍ଷ ତୁଳନାରେ ଅଧିକ ସଂଗ୍ରହ କରାଯାଇଛି । ସାରା ରାଜ୍ୟରେ କୋଭିଡ୍-୧୯ ସ୍ଥିତିରେ ଉପୁଜୁଥିବା ଆହ୍ୱାନକୁ ମୁକାବିଲା କରିବା ସହିତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ବଜାୟ ରଖି ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହିତ ସ୍ଥିତିର ନିୟମିତ ସମୀକ୍ଷା କରି ଗତବର୍ଷ ତୁଳନାରେ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ଗତବର୍ଷ ମୋଟ ୫୦ କୋଟି ୮୩ ଲକ୍ଷ ୮୪ ହଜାର ୯୦୦ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ସଂଗ୍ରହ କରାଯାଇଥିବାବେଳେ ଚଳିତ ବର୍ଷ ୬୦ କୋଟି ୨୩ ଲକ୍ଷ ୯୨ ହଜାର ୩୪୬ ଟଙ୍କା ମୂଲ୍ୟର ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ୬୯୯୫.୩୮୨ ମେଟ୍ରିକ ଟନ ମୁଗ, ୨୦୧୧.୩୩୫ ମେଟ୍ରିକ ଟନ୍ ଚିନାବାଦାମ ଏବଂ ୧୨୧.୦୭୯ ମେଟ୍ରିକ ଟନ ସୂର୍ଯ୍ୟମୁଖୀ ମଞ୍ଜି ଅନ୍ତର୍ଭୁକ୍ତ। ଗତବର୍ଷ ସମୁଦାୟ ୭୫୯୩.୨୮୦ ମେଟ୍ରିକ ଟନ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବା ବେଳେ ୨୦୧୯-୨୦ ରବି ଋତୁରେ ୯୧୨୭.୭୯୬ ମେଟ୍ରିକ ଟନ ସଂଗ୍ରହ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି । ସୂଚନାଯୋଗ୍ୟ ଚଳିତ ବର୍ଷ ସମବାୟ ବିଭାଗ ପକ୍ଷରୁ ମାର୍କଫେଡ ଦ୍ୱାରା ରାଜ୍ୟର ଗତବର୍ଷ ୮ଟି ଜିଲ୍ଲା ତୁଳନାରେ ଚଳିତ ବର୍ଷ ୧୩ଟି ଜିଲ୍ଲାରୁ ବିଭିନ୍ନ ପ୍ୟାକସ୍ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ଯାଜପୁର ଜିଲ୍ଲାରୁ ମୋଟ ୨୫ କୋଟି ୨୪ ଲକ୍ଷ ୪୯ ହଜାର ୯୨୫ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରୁ ୯ କୋଟି ୮୬ ଲକ୍ଷ ୭୩ ହଜାର ୪୪୦ ଟଙ୍କା ମୂଲ୍ୟର, ଜଗତସିଂହପୁର ଜିଲ୍ଲାରୁ ୮ କୋଟି ୯୮ ଲକ୍ଷ ୪୭ ହଜାର ୩୧୫ ଟଙ୍କାର ଏବଂ ପୁରୀ ଜିଲ୍ଲାରୁ ୬ କୋଟି ୬୬ ଲକ୍ଷ ୩୭ ହଜାର ୧୫୮ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି ।