କରୋନା ସଂକ୍ରମଣରେ ଗୁଜରାଟର ପୋରବନ୍ଦରରେ ଭାରତୀୟ ନୌସେନାର ତାଲିମ ନେଉଥିବା ୧୬ଜଣ ନାବିକ

ଅହମଦାବାଦ,ଏଜେନ୍ସି: ଗତ ଚାରି ଦିନ ମଧ୍ୟରେ ଗୁଜରାଟର ପୋରବନ୍ଦରସ୍ଥିତ ଭାରତୀୟ ନୌସେନା ବେସ୍‌ରେ ତାଲିମ୍ ଗ୍ରହଣ କରୁଥିବା ପ୍ରାୟ ୧୬ ଜଣ ନାବିକ କରୋନାଭାଇରସ୍ ପଜିଟିଭ୍ ବାହାରିଥିବା ପରୀକ୍ଷାରୁ ଜଣାପଡ଼ିଛି। ପୋରବନ୍ଦରରେ ସାମରିକ ଡାକ୍ତରଖାନା ନ ଥିବାରୁ ସେମାନଙ୍କୁ ଜାମନଗରସ୍ଥିତ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ରାଜ୍ୟ ପ୍ରତିରକ୍ଷା ମୁଖପାତ୍ର ପୁନୀତ ଚଢ଼ା କହିଛନ୍ତି।

ତାଲିମ ଗ୍ରହଣ କରୁଥିବା ନାବିକମାନଙ୍କୁ ପୋରବନ୍ଦର ନୌସେନା ବେସ୍‌ରେ ନିଯୁକ୍ତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଠଜଣ ନାବିକ କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ସେମାନଙ୍କୁ ଜାମନଗର ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। କଣ୍ଟାକ୍ଟ୍ ଟ୍ରେସିଙ୍ଗ୍ କରାଯିବା ପରେ, ସ୍ବାସ୍ଥ୍ୟ ଅଧିକାରୀମାନେ ବେସ୍‌ରୁ ଆହୁରି କିଛି ନମୁନା ସଂଗ୍ରହ କରିଥିଲେ। ସେଗୁଡ଼ିକୁ ପରୀକ୍ଷା କରିବା ପରେ ଜଣାପଡ଼ିଲା ଯେ ଦୁଇ ଦିନ ତଳୁ ଆହୁରି ଆଠ ଜଣ ନାବିକ ସଂକ୍ରମିତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଜାମନଗର ସ୍ଥାନାନ୍ତର କରାଯାଇଛି।