ହସ୍ପିଟାଲରୁ ଚୋରି ହୋଇଥିବା ୧୮ ମୋବାଇଲ ଜବତ, ୨ ସୁରକ୍ଷାକର୍ମୀଙ୍କ ସହ ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ୱାର୍ଡରୁ ଚୋରି ହୋଇଥିବା ୧୮ଟି ମୋବାଇଲ୍ ଫୋନ୍ ଟାଉନ ଥାନା ପୁଲିସ୍ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ଜଣ ସୁରକ୍ଷାକର୍ମୀଙ୍କ ସହ ପୁଲିସ୍ ୩ଜଣକୁ ଗିରଫ କରିଥିବା ଥାନାଧିକାରୀ ଧୀରେନ୍ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଚଳିତ ମାସ ୯ ତାରିଖ ରାତିରେ ହସ୍ପିଟାଲର ସର୍ଜରୀ ୱାର୍ଡରୁ ୪ଟି ମୋବାଇଲ୍ ଫୋନ୍ ଚୋରି ହୋଇଥିଲା। ଖୋଜାଖୋଜି କରି ନପାଇବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଟାଉନ୍ ଥାନାରେ ୧୫ ତାରିଖରେ ଅଭିଯୋଗ କରିଥିଲେ। ଥାନାଧିକାରୀ ଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସବଇନ୍ସପେକ୍ଟର ଯୋଶବନ୍ତ କୁମାର ସେଲମା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ମେଡିକାଲ୍ କଲେଜ ଓ ହସ୍ପିଟାଲର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବାରୁ ନିର୍ଦ୍ଦିଷ୍ଟ ସମୟରେ କ୍ୟାମେରା ବନ୍ଦ କରାଯାଇଥିବା ଜଣା ପଡ଼ିଥିଲା। ତେଣୁ ଏଥିରେ ହସ୍ପିଟାଲ କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରି ରାତି ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ସୁରକ୍ଷାକର୍ମୀ ତପନ କୁମାର ପାତ୍ର ଓ ଲେଲି ଖୋସ୍ଲା ଚୋରିରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ। ଉଭୟଙ୍କ ବୟାନକୁ ଆଧାର କରି କୋରାପୁଟ ଢେପସାହିର ଉଦୟ କୁମାରଙ୍କ ଘରେ ଚଢ଼ଉ କରି ୧୮ଟି ମୋବାଇଲ୍ ଫୋନ୍ ଜବତ କରିଥିବା ଥାନାଧିକାରୀ କହିଛନ୍ତି। ଚୋରି ମୋବାଇଲ୍ ଫୋନ୍ ରଖିଥିବା ମୁଖ୍ୟ ଅଭିଯୁକ୍ତ ଉଦୟ କୁମାର ସମେତ ୨ଜଣ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।