କୋଲ ଇଣ୍ଡିଆ ଅତିରିକ୍ତ ସଚିବଙ୍କ ଖଣି ପରିଦର୍ଶନ ସମୟରେ ୧୮ ଦଫା ଦାବିପତ୍ର ପ୍ରଦାନ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଥିବା ଏମସିଏଲର ବିଭିନ୍ନ ଖଣି କ୍ଷେତ୍ରକୁ ରବିବାର କୋଲ ଇଣ୍ଡିଆର ଅତିରିକ୍ତ ସଚିବ ଭିକେ ତୱାରି, ଚେୟାରମ୍ୟାନ ଏକେ ଝା ପରିଦର୍ଶନ କରିଛନ୍ତି। ଦେଶରେ କୋଇଲାର ବ୍ୟବହାରିକ ଚାହିଦା ବଢୁଥିବା ବେଳେ ଝାରସୁଗୁଡା ଜିଲ୍ଲା ସ୍ଥିତ ବିଭିନ୍ନ ଖଣିରେ କୋଇଲା ଉତ୍ପାଦନ କମି ଯାଇଛି। ତେଣୁ କୋଇଲାର ଆବଶ୍ୟକତା ମେଣ୍ଟାଇବା ପାଇଁ ବିସ୍ଥାପିତ ସମସ୍ୟା ତଥା ଅନ୍ୟ ସମସ୍ୟାକୁ ଯଥା ଶୀଘ୍ର ଦୂର କରି ଉତ୍ପାଦନ ବୃଦ୍ଧି କରାଯାଉ ବୋଲି ଭିକେ ତ୍ୱିୱାରୀ କହିଛନ୍ତି।

ସଚିବ ଓ ଚେୟାରମ୍ୟାନଙ୍କ ସହ ଏମସିଏଲ ସିମଡି ବିଏନ ଶୁକ୍ଳା, ଲଖନପୁର ପ୍ରବନ୍ଧକ ଏକେ ସିଂ, ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ସ୍ୱର୍ଣ୍ଣକର, ବେଲପାହାଡ଼ ଖଣି ପ୍ରକଳ୍ପ ଅଧିକାରୀ ୟୁରେନ ପଟ୍ଟନାୟକ ପ୍ରମୁଖ ଲଖନପୁର ଖୋଲାମୁହଁ କୋଇଲା ଖଣି ୬ ନମ୍ବର, ୪ ନମ୍ବର, ୧ ନମ୍ବର, ସମଲେଶ୍ୱରୀ ଖୋଲାମୁହଁ କୋଇଲା ଖଣି ଆଦି ପରିଦର୍ଶନ କରିଛନ୍ତି।

ଏହି ଅବସରରେ ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମିତି ସଭାପତି ବିରଞ୍ଚି ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିସ୍ଥାପିତ ଲୋକେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ଦିନ ହେବ ଏମସିଏଲର ବିଭିନ୍ନ ଖଣିରେ ସ୍ଥାନୀୟ ଲୋକେ ଜମି ବାଡି, ଘରଦ୍ୱାର ହରାଇ ଭିଟାମାଟି ଛାଡ଼ିଥିଲେ। କିନ୍ତୁ ସେମାନଙ୍କୁ ଏମସିଏଲ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ କୌଣିସ ସୁବିଧା ଯୋଗାଇଦିଆଯାଇନାହିଁ। ସେମାନଙ୍କୁ ବିସ୍ଥାପିତ କଲାପରେ ଉପଯୁକ୍ତ ଥଇଥାନ, ନିଯୁକ୍ତି ଓ କ୍ଷତି ପୂରଣ ପ୍ରଦାନ କରାଯାଉ ନାହିଁ।

ଏଥିସହ ଲୋକେ ବିସ୍ଥାପିତ ହୋଇ ଦୁର୍ଦଶାରେ ଜୀବନ ଯାପନ କରୁଥିଲେ ମଧ୍ୟ ଏମସିଏଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ତେଣୁ ଲୋକଙ୍କ ଜମି ଅଧି ଗ୍ରହଣ କରିବା ପୂର୍ବରୁ ସେମାନଙ୍କ ସମସ୍ତ ସମସ୍ୟା ଦୂର କରାଯାଉ ବୋଲି ଲୋକେ ସଚିବଙ୍କ ନିକଟରେ ଦାବି କରି ଏକ ୧୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।