‘ଭାରତ ବନ୍ଦ’କୁ ସମର୍ଥନ ଜଣାଇଲେ ଜିଲ୍ଲାର ୧୮ଟି ସଂଗଠନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ସର୍ବଭାରତୀୟ ସ୍ତରରେ କରାଯାଉଥିବା ଭାରତ ବନ୍ଦକୁ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ଓ ଜିଲ୍ଲାର ଆହୁରି ୧୭ଟି ସଂଗଠନ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ କରାଯାଇଛି। ଆଜି ଜିଲ୍ଲା କୃଷକ ସଂଗଠନ, ଜିଲ୍ଲା କଂଗ୍ରେସ, ପ୍ରଗତିଶୀଳ ଶ୍ରମିକ ମଞ୍ଚ, ଆମ ଆଦମି ପାର୍ଟି, ସିପିଆଇ, ସିପିଏମ, ଟ୍ରକ, ବସ ମାଲିକ ପରି ପ୍ରାୟ ୧୮ଟି ସଂଗଠନର ସଦସ୍ୟମାନେ ପ୍ରସନ୍ନ ପଣ୍ଡା ଛକ ଏନ-୪୯ ଓ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଝାରସୁଗୁଡ଼ା-ସମ୍ବଲପୁର, ଝାରସୁଗୁଡ଼ା-ସୁନ୍ଦରଗଡ଼, ଝାରସୁଗୁଡ଼ା- ରାଇଗଡ଼ ଦେଇ ଚଳାଚଳ କରୁଥିବା ସମସ୍ତ ଗାଡ଼ିକୁ ଚାଷୀମାନେ ଅଟକାଇ ଥିଲେ। ଅନ୍ୟପଟେ ଅଧିକାଂଶ ଦୋକାନ ବଜାର ଖୋଲାଥିବାବେଳେ କେତେକ ବ୍ୟବସାୟୀ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ନିଜ ଦୋକାନ ବନ୍ଦ ରଖିଥିଲେ। ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ବନ୍ଦ ରହିଥିବାବେଳେ ପ୍ରାୟତଃ ସମସ୍ତ ଦୋକାନ ବଜାର ଖୋଲା ରହିଥିଲା।

ଜିଲ୍ଲା କୃଷକ ସଂଗଠନ ରସ୍ତାରେ ଧାରଣା ଦେଇ ନୂତନ କୃଷି ଆଇନ ପ୍ରତ୍ୟାହାର ନେଇ ନାରାବାଜି କରିଥିଲା। ନୂତନ କୃଷି ଆଇନ କୃଷକଙ୍କ ସ୍ୱାର୍ଥର ବିରୁଦ୍ଧାଚରଣ କରୁଥିବା ସେମାନେ କହିଛନ୍ତି। ତେଣୁ ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲାର କୃଷକମାନେ ଦାବି କରିଛନ୍ତି। ଏହାସହ ସରକାର ଯଦି ଶୀଘ୍ର ନୂତନ କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଚାଷୀଙ୍କ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।