୧୬ଜଣ ଦାଦନ ଶ୍ରମିକ ଉଦ୍ଧାର, ୨ସର୍ଦ୍ଦାର ଓ ଡ୍ରାଇଭର ଅଟକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରୁ ୧୬ଜଣ ଦାଦନ ଶ୍ରମିକଙ୍କୁ ଖପ୍ରାଖୋଲ ପୁଲିସ ଉଦ୍ଧାର କରିିଛି । ଆଉ୨ଜଣ ସର୍ଦ୍ଦାର ଓ ଗାଡ଼ି ଡ୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ କହିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଖପ୍ରାଖୋଲ ପୁଲିସ ପେଟ୍ରୋଲିଙ୍ଗ ଟିମ ଏସଆଇ ଗୋପୀନାଥ ମହାକୁଡ଼ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ବୋଲେରୋରେ କିଛି ଲୋକ ଭର୍ତ୍ତି ହୋଇ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ପାଇଥିଲେ । କୁର୍ଲାମାଲ ଛକରେ ପୁଲିସ ଉକ୍ତ ଗାଡ଼ିକୁ ଅଟକାଇ ଅଧିକ ପଚରାଉଚୁରା କରିବାରୁ ଶ୍ରମିକମାନେ ଗାଇସିଲେଟ ଥାନା ଯୁଗୀମଠ ଗ୍ରାମର ବୋଲି ଜଣାପଡ଼ିଥିଲା । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ଜଣ ପୁରୁଷ, ୫ଜଣ ମହିଳା ଓ ଗୋଟିଏ ନାବାଳିକା ଝିଅ ଏବଂ ୫ଜଣ ଶିଶୁ ଅଛନ୍ତି । ଦାଦନ ସର୍ଦ୍ଦାର ପଞ୍ଚା ସୁନା ଏବଂ ଉପେନ୍ଦ୍ର ଦଣ୍ଡସେନା ଆବଶ୍ୟକ କାଗଜ ପତ୍ର ନକରି ସମସ୍ତଙ୍କୁ ବିଜୟନଗରମ ଚାଲାଣ କରୁଥିବା ଜଣାପଡ଼ିଛି ।