ଦିନକରେ ବଲାଙ୍ଗିରରୁ ୧୬ କରେନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଦିନକରେ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସହରର ହାତୀଶାଲ ପଡ଼ାର ୧୩ଜଣ ରହିଥିବାବେଳେ ବଲାଙ୍ଗିର, ଖପ୍ରାଖୋଲ ଓ ସଇଁନ୍ତଳା ବ୍ଲକରୁ ଜଣେ ଲେଖାଏଁ ଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ହାତୀଶାଲ ପଡ଼ାରୁ ଚିହ୍ନଟ ହୋଇଥିବା ୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ବଲାଙ୍ଗିର ବ୍ଲକ୍ ହର୍ଡାଟାଲ ପଂଚାୟତରୁ ଜଣେ ୨୩ ବର୍ଷୀୟ ଯୁବକ ରହିଛନ୍ତି ଯିଏକି ତାମିଲନାଡ଼ୁ ଫେରନ୍ତା। ସେ ୧୨ ଜୁନରୁ ୨୭ ଜୁନ୍ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ଖପ୍ରାଖୋଲ ବ୍ଲକ ସାନଗୁରଜିଭଟା ପଂଚାୟତରୁ ତେଲେଙ୍ଗାନା ଫେରନ୍ତା ଜଣେ ୨୦ ବର୍ଷୀୟ ଯୁବକ ରହିଛନ୍ତି। ସେ ୨୫ ଜୁନରୁ ୨୮ ଜୁନ୍ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେହିପରି ସଇଁନ୍ତଳା ବ୍ଲକ କେରମେଲୀ ପଂଚାୟତରୁ ଜଣେ ୩୨ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ତାମିଲନାଡୁ ଫେରନ୍ତା। ସେ ଜୁନ୍ ୩ରୁ ୧୩ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନରେ ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩ରେ ପହଂଚିଛି। ସେଥିମଧ୍ୟରୁ ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି।