ସିବିଆଇ ସ୍ପେଶାଲ କୋର୍ଟରେ ବିଚାରାଧୀନ ୧୫୧ ମାମଲା

୫୮ ସାଂସଦ-ବିଧାୟକଙ୍କୁ ମିଳିପାରେ ଆଜୀବନ ଜେଲ୍ ଦଣ୍ଡ

  • ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନେକ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାଁରେ ୧୫୧ଟି କେସ୍ ପେଣ୍ଡିଂ ହୋଇ ରହିଛି। ଏହା ମଧ୍ୟରୁ ୫୮ଟି ଏମିତି କେସ୍ ରହିଛି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ସାଂସଦ କିମ୍ବା ବିଧାୟକଙ୍କୁ ଆଜୀବନ ଜେଲଦଣ୍ଡ ମଧ୍ୟ ମିଳିପାରେ।
    କିନ୍ତୁ ପରିତାପର ବିଷୟ ଏହା ମଧ୍ୟରୁ ଏକ ତୃତୀୟାଂଶ କେସର ଟ୍ରାଏଲ ଅତ୍ୟନ୍ତ ଧିମା ଗତିରେ ଚାଲିଛି। ବହୁତ ବର୍ଷ ତଳେ ଘଟଣା ଘଟିଥିଲେ ହେଁ ସେମାନଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇନାହିଁ। ଆଜି ସୁପ୍ରିମକୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ୨୦୧୬ରେ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲାଗୁଡ଼ିକ ଶୁଣାଣି ତ୍ୱାରାନ୍ୱିତ ପାଇଁ ଫାଷ୍ଟଟ୍ରାକ୍ ବ୍ୟବସ୍ଥା କରିବାକୁ ଆବେଦନ କରିଥିଲେ। ଏହି ଆବେଦନ ପରେ ସୁପ୍ରିମକୋର୍ଟ ଆଇନଜୀବୀ ବିଜୟ ହନସାରିଆଙ୍କୁ ମାମଲାରେ ସହଯୋଗ କରିବା ପାଇଁ ଆମିକସ କ୍ୟୁରୀଭାବେ ନିଯୁକ୍ତ କରିଥିଲେ। ସେ ଏବେ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ତାଙ୍କୁ ଏଥିରେ ଆଇନଜୀବୀ ସ୍ନେହା କଲିତା ସହଯୋଗ କରିଥିଲେ।
    ସବୁଠାରୁ ଅଧିକ ଦିନ ପେଣ୍ଡିଂ ହୋଇଥିବା ମାମଲା ପାଟନାରେ ରହିଛି। ଏଠାରେ ଅଭିଯୁକ୍ତଙ୍କ ବିରୋଧରେ ୨୦୦୦ ମସିହା ଜୁନ ୧୨ରେ ଚାର୍ଜଶିଟ ଦାଖଲ କରାଯାଇଥିଲେ ହେଁ ଏଯାଏ ରାୟ ପ୍ରକାଶ ପାଇନାହିଁ। ବିଭିନ୍ନ ସିବିଆଇ କୋର୍ଟରେ କେମିତି ମାମଲାର ଟ୍ରାଏଲ ଦୀର୍ଘଦିନ ହେଲା ପଡ଼ିରହିଛି, ତା’ର ଖୁଲାସା ରିପୋର୍ଟ ଜରିଆରେ କରାଯାଇଛି।
    ଇଡିର ଷ୍ଟାଟସ ରିପୋର୍ଟ ଅନୁଯାୟୀ, ୫୧ ଜଣ ପୂର୍ବତନ ଓ କାର୍ଯ୍ୟରତ ସାଂସଦଙ୍କ ବିରୋଧରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ମାମଲା କରାଯାଇଛି। ତେବେ ଏହି ରିପୋର୍ଟରେ କେତେ ଜଣ ପୂର୍ବତନ ଓ କେତେ ଜଣ କାର୍ଯ୍ୟରତ ସାଂସଦ ଅଛନ୍ତି କୁହାଯାଇନାହିଁ।
    ରିପୋର୍ଟରେ ଦର୍ଶାଯାଇଛି ଯେ, ଯେଉଁ କୋର୍ଟଗୁଡ଼ିକରେ ମାମଲା ପଡ଼ିରହିଛି, ସେମାନଙ୍କୁ ସିଆରପିସିର ଧାରା ୩୦୯ ଅନୁଯାୟୀ ଦୈନିକ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇପାରିବ। ଆମିକସ୍ କ୍ୟୁରୀ ପରାମର୍ଶ ଦେଇଛନ୍ତି ଯେ, ଯଦି ଅତିରିକ୍ତ ଅଦାଲତର ଆବଶ୍ୟକ ପଡ଼େ, ତା’ହେଲେ ହାଇକୋର୍ଟ ଓ ଉପଯୁକ୍ତ ସରକାର ଅତିରିକ୍ତ କୋର୍ଟ ଗଠନ କରିପାରିବେ। ମାମଲା କିପରି ଆଗକୁ ବଢ଼ୁଛି, ତା’ର ତଦାରଖ କରିବାକୁ ଗୋଟିଏ କମିଟି ଗଠନ କରିବାକୁ ମଧ୍ୟ ଆମିକସକ୍ୟୁରୀ କହିଛନ୍ତି।