ନାଚୁଣୀରେ ଏଚଡ଼ିଏଫସି ବ୍ୟାଙ୍କ ଏଟିଏମ ଭାଙ୍ଗି ୧୫ ଲକ୍ଷ ଟଙ୍କା ଲୁଟ

ଚିଲିକା,ଏନ୍‌ଏନ୍‌ଏସ୍‌: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ନାଚୁଣୀ ମାର୍କେଟରେ ଥିବା ଏଚଡିଏଫସି ବ୍ୟାଙ୍କ ଏଟିଏମ୍ ଭାଙ୍ଗି ଲୁଟେରା ୧୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବିଳମ୍ବିତ ରାତିରେ ସାଇଣ୍ଟଫିକ୍ ଟିମ୍‌, ବାଣପୁର ଥାନା ପୁଲିସ ଓ ପୁଲିସର ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଡକାୟତଙ୍କର କୌଣସି ସୁରାକ୍ ମିଳିନଥିଲା । ତଥାପି ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶରେ ବାଣପୁର ଥାନା ଓ ନାଚୁଣୀ ଫାଣ୍ଡି ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି । ଏନେଇ ବାଣପୁର ଥାନା ଏଚଡିଏଫସି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ବ୍ୟାଙ୍କ ଅଧିକାରୀଙ୍କ ଲିଖିତ ଅଭିଯୋଗ ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟଜ ଯାଞ୍ଚ କରାଯାଉଛି ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।