ଧବଳେଶ୍ୱର ପୀଠରେ ପଞ୍ଚୁକ ଓ ବଡ଼ ଓଷା ପାଇଁ ଜାରୀ ହେଲା କଟକଣା, ଲାଗୁ ହେବ ୧୪୪ ଧାରା

କଟକ,ଏନ୍ଏନ୍ଏସ୍: ଧବଳେଶ୍ୱର ପୀଠରେ ପଞ୍ଚୁକ ଓ ବଡ଼ ଓଷା ପାଇଁ ଜାରୀ ହେଲା କଟକଣା। ନିୟମ ଅନୁସାରେ କାଲିଠାରୁ ଆଗାମୀ ୧୯ ତାରିଖ କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରୀ କରାଯିବ। କରୋନା ଭୁତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱରକୁ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

ପ୍ରତିବର୍ଷ ମହା କାର୍ତ୍ତିକ ମାସର ଶେଷ ପର୍ବ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦ୍ ଯାପନ କରିଥାନ୍ତି।

ସେଥିପାଇଁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥାଏ। ସେହିପରିପଞ୍ଚୁକ ପାଞ୍ଚ ଦିନରେ ମହାପ୍ରଭୁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ହୋଇଥାଏ ଯାହାକୁ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତମାନଙ୍କ ସୁଅ ଛୁଟିଥାଏ।

ହେଲେ ଚଳିତବର୍ଷ କରୋନା ପାଇଁ ସମସ୍ତ ପର୍ବ ପର୍ବଣୀ ଫିକା ପଡ଼ିଯାଇଛି। ତେଣୁ କେବଳ ସେବାୟତଙ୍କୁ ନେଇ ବାବା ଧବଳେଶ୍ୱରଙ୍କ ପୂଜାବିଧି ଅନୁଷ୍ଠିତ ହେବାକୁ ସୁଚନା ଦିଆଯାଇଛି।