ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆମେରିକାର କଟକଣା

ୱାଶିଂଟନ୍,ଏଜେନ୍ସି: ଆମେରିକା ଚୀନର ୧୪ ଜଣ ବରିଷ୍ଠ ଅଧିକାରୀଙ୍କ ଉପରେ ଆର୍ଥିକ କଟକଣା ଲାଗୁ କରିବା ସହ ସେମାନଙ୍କ ଯାତ୍ରା ବ୍ୟାନ୍ କରିଛି। ଚୀନ୍ ଗତ ମାସରେ ହଂକଂର ନିର୍ବାଚିତ ବିରୋଧୀ ଦଳ ବ୍ୟବସ୍ଥାପକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରିପ୍ରେକ୍ଷୀରେ ଆମେରିକା ବେଜିଂ ବିରୋଧରେ ଏଭଳି ପଦକ୍ଷେପ ନେଇଛି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗ ସୂତ୍ରରୁ ପ୍ରକାଶ ଯେ ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସ ଷ୍ଟାଣ୍ଡିଂ କମିଟିର ୧୪ ଉପାଧ୍ୟକ୍ଷଙ୍କ ବିରୋଧରେ ଏଭଳି କଟକଣା ଜାରି କରାଯାଇଛି।

ଏହି ୧୪ ଜଣ ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କ ପରିବାରର କୌଣସି ସଦସ୍ୟ ଆମେରିକା ଗସ୍ତରେ ଆସିପାରିବେ ନାହିଁ ବୋଲି ୱାଶିଂଟନ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ଏହି ଅଧିକାରୀମାନଙ୍କର ଆମେରିକାରେ ଯେଉଁ ସବୁ ସମ୍ପତ୍ତି ରହିଛି ତାହା ଜବତ କରାଯିବାକୁ ୱାଶିଂଟନ ନିଷ୍ପତ୍ତି ନେଇଛି। ଆମେରିକାର ଏଭଳି ଆଭିମୁଖ୍ୟରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍। ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଂ ମଙ୍ଗଳବାର ବେଜିଂ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେରିକାର ଏଭଳି କଟକଣାର ପାଲଟା ଜବାବ ଦିଆଯିବ। ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଓ ବିକାଶ ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ଚୀନର ପୂର୍ଣ୍ଣ ଅଧିକାର ରହିଛି ବୋଲି ଏହି ମୁଖପାତ୍ରଜଣକ କହିଛନ୍ତି।