ହାଇ କୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ଦେବଗଡ଼,ଝାରସୁଗୁଡା,ଏନ୍ଏନ୍ଏସ୍:ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁଦିନ ଧରି ଦାବି ହୋଇଆସୁଛି। ଏ ନେଇ ପୂର୍ବରୁ ବନ୍ଦ ଡାକରା ଦିଆଯାଇଥିଲେ ହେଁ କୌଣସି ସୁଫଳ ମଳିନାହିଁ। ଫଳରେ ଆଜି ଦେବଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁଣିଥରେ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ଜିଲ୍ଲା ଜିଲ୍ଲା ଓକିଲ ସଙ୍ଘ ର ସଦସ୍ୟ ମାନେ ପୁରୁଣା ପୋଷ୍ଟ ଅଫିସ ଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥରେ ବସି ରହି ରାଜପଥ ଅବରୋଧ କରିବା ସହ ସମସ୍ତ ଦୋକାନ ବଜାରକୁ ବନ୍ଦ କରାଇଥିଲେ।

ବନ୍ଦ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ଯାନ ବାହାନ ଅଟକି ରହିଛି। ସ୍ୱାସ୍ଥ୍ୟ ସେବା ଓ ଜରୁରୀ କାଳୀନ ଅତ୍ୟା ବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆ ଯାଇଥିବା ବେଳେ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସରକାରୀ କାର୍ଯ୍ୟଳୟ ବନ୍ଦ ରହିଛି। ଜାତୀୟ ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ଓ ଶୋଷଣ ନୀତି ବିରୋଧରେ ସଙ୍ଘ ଏହି ବନ୍ଦ ଡାକରା ଦେଇଥିବା ସଙ୍ଘର ଉପ ସଭାପତି ବିକାଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

ସେହିପରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବୁଧବାର ଝାରସୁଗୁଡାର ବାର ଆସୋସିଏସନ ପକ୍ଷରୁ ସହରର ବେହେରାମାଲ, ଷ୍ଟେସନ ଛକ, ବମ୍ବେଛକ, ବିଟିଏମ ଓ ୧୦ନଂ ରାଜ୍ୟ ରାଜପଥ ଏବଂ ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ।