ଆଜି ନିର୍ଭୟା ମାମଲାର ରାୟ ପ୍ରକାଶ କରିବ ହାଇକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ଦୋଷୀଙ୍କ ମୃତ୍ୟୁଦଣ୍ଡ ସମ୍ପର୍କରେ ବୁଧବାର ଦିଲ୍ଲୀ ହାଇକୋର୍ଟ ରାୟ ପ୍ରକାଶ କରିବ। ଦୋଷୀଙ୍କ ମୃତ୍ୟୁଦଣ୍ଡ କାର୍ୟ୍ୟକାରୀତା ଉପରେ ବାରମ୍ବାର ରହିତାଦେଶ ଜାରି କରାଯିବାକୁ ବିରୋଧ କରି କେନ୍ଦ୍ର ସରକାର ଓ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦାୟର କରିଥିବା ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି।

ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ହାଇକୋର୍ଟ ବିଚାରପତି ସୁରେଶ କୈତ ଏହା ଉପରେ ଶୁଣାଣି କରିଥିଲେ। ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ପ୍ରଥମେ ଜାନୁଆରୀ ୨୨ ତାରିଖକୁ ଦିନ ଧାର୍ୟ୍ୟ ହୋଇଥିଲା। ପରେ ଏହାକୁ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଯାଇଥିଲା। ଏବେ ଏହା ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଛି। ସମସ୍ତ ଦୋଷୀଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ଅଦାଲତ ଫାଶୀ ଲାଗି ମୃତ୍ୟୁ ପରୱାନା ଉପରେ ବାରମ୍ବାର ରହିତାଦେଶ ଜାରି କରିଥିଲେ।