ଚତୁର୍ଥ ଦିନରେ ସୁଦାନରୁ ଫେରିଲେ ୧୨୮ ଭାରତୀୟ

ନୂଆଦିଲ୍ଲୀ,ଏଜେନ୍ସି: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ୭୨ ଘଣ୍ଟା ଯୁଦ୍ଧବିରତି ପରେ ଖାର୍ତୁମ ସମେତ ବିଭିନ୍ନ ସ୍ଥାନରେ ସେନା ଏବଂ ଅର୍ଦ୍ଧସାମରିକ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ କାବେରୀ । ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇ ନିଜ ରାଜ୍ୟରେ ପହଞ୍ଚାଯାଇଛି । ଏହାରି ଭିତରେ ଆଜି ସକାଳେ ୧୨୮ ଭାରତୀୟ ସୁଦାନରୁ ଆସି ଜେଧାରେ ପହଞ୍ଚିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନ ଟ୍ବିଟ କରି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଟ୍ବିଟ ଅନୁସାରେ, IAFC-130 ବିମାନ ଆଜି ଭାରତୀୟଙ୍କୁ ସୁଦାନରୁ ଆଣି ଜେଧାରେ ପହଞ୍ଚାଇଛି । ଅପରେସନ କାବେରୀରେ ୧୨୮ଜଣ ଭାରତୀୟ ସୁଦାନରୁ ଫେରିଛନ୍ତି । ଏହାପରେ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯିବ ।

ତେବେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସୋମବାର ଠାରୁ ଅପରେସନ କାବେରୀ ଆରମ୍ଭ କରାଯାଇଛି । ଆଜି ଏହାର ଚତୁର୍ଥ ଦିନ । ଆଜି ସକାଳୁ ସକାଳୁ AFC-130 ବିମାନରେ ୧୨୮ଜଣ ଭାରତୀୟ ଫେରିଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୧୦୦ ଭାରତୀୟଙ୍କ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଅଣାଯାଇଛି । ତେବେ ସେହି ସମୟର ଫଟୋ ଏବଂ ଭିଡିଓକୁ ସେୟାର କରାଯାଇଛି । ଏଥିରେ ଅନେକ ବୃଦ୍ଧ, ବୃଦ୍ଧାଙ୍କ ସହ ଛୋଟ ଛୁଆ ମଧ୍ୟ ରହିଥିବା ଦେଖାଯାଇଛି । ଜେଧାରେ ଭାରତୀୟମାନେ ପହଞ୍ଚିଥିବା ଭିଡିଓକୁ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଟ୍ବିଟ କରିଥିବା ବେଳେ ଏହାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଖୁସି ହୋଇ ରିଟ୍ବିଟ କରିଛନ୍ତି ।

ପ୍ରକାଶଥାଉକି, ସେନା ଏବଂ ଅର୍ଦ୍ଧସାମରିକ ସେନା ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ଏହାରି ଭିତରେ ୪୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣ ଯାଇଛି । ଏହି ସଂଘର୍ଷପୂର୍ଣ୍ଣ ସମୟରେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା । ସୁରକ୍ଷିତ ଭାବେ ଭାରତୀୟଙ୍କୁ ଉଦ୍ଧାର କରିବା ଏକ ପ୍ରକାର ଚାଲେଞ୍ଜ ରହିଥିଲା । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଉଦିଆରବର ମନ୍ତ୍ରୀଙ୍କ ସହ ବୈଠକ କରି ଆଲୋଚନା କରିଥିଲେ ।

ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଆରମ୍ଭ ହୋଇଥିଲା । ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,”ସୁଦାନର ରାଜଧାନୀ ସମେତ ଅନେକ ସ୍ଥାନରେ ସଂଘର୍ଷ ଜାରି ରହିଥିବା ବେଳେ ଏଥିରେ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪୦୦୦ରୁ ଅଧିକ ଆହତ ହୋଇଛନ୍ତି ।”