ଖୋଲିଲା ବାବା ବଦ୍ରିନାଥଙ୍କ ଦ୍ବାର, ମୋଦୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,ଏଜେନ୍ସି: ଜାରି ରହିଛି ବିଶ୍ବ ପ୍ରସିଦ୍ଧ ଚାରିଧାମ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବଦ୍ରିନାଥଙ୍କ ଦ୍ବାର । ରୀତିନୀତି ଅନୁଯାୟୀ ଆଜି ସକାଳ ୭ଟା ୧୦ରେ ଭଗବାନ ବଦ୍ରି ବିଶାଲଙ୍କ ଦ୍ବାର ଭକ୍ତଙ୍କ ପାଇଁ ଖୋଲିଛି । ମନ୍ଦିରରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପୂଜାପାଠ କରାଯାଇଥିଲା । ମନ୍ଦିର କବାଟ ଖୋଲିବା ମାତ୍ରେ ବଦ୍ରିନାଥ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମନ୍ଦିର ଖୋଲିବା ପୂର୍ବରୁ ସମସ୍ତେ ବଦ୍ରିନାଥଙ୍କ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଥିଲେ । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ବଦ୍ରିନାଥ ମନ୍ଦିରକୁ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ।

ଜ୍ୟୋତିଷ ଶାସ୍ତ୍ର ଆଧାରରେ ଆଜି ବଦ୍ରିନାଥ ଦ୍ବାର ଖୋଲିବାକୁ ସମୟ ନିର୍ଘଣ୍ଟ ହୋଇଥିଲା । ମନ୍ଦିର ପୂଜକଙ୍କ ପୂଜାର୍ଚ୍ଚନା ପରେ ଆଜି ମନ୍ଦିର କବାଟ ଖୋଲିଯାଇଛି । ବର୍ତ୍ତମାନ ଭକ୍ତଙ୍କ ପାଇଁ ଉତ୍ତରାଖଣ୍ଡରେ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମର ମନ୍ଦିର କବାଟ ଖୋଲିଯାଇଛି । ଚାରିଧାମ ଯାତ୍ରାରେ ବର୍ତ୍ତମାନ ସୁଦ୍ଧା କେତେ ସଂଖ୍ୟକ ଭକ୍ତ ସାମିଲ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ।

ଗତ ୨୨ ତାରିଖ ଠାରୁ ଉତ୍ତରାଖଣ୍ଡରେ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ପ୍ରଥମେ ମାଆ ଗଙ୍ଗାଙ୍କ ବାସସ୍ଥାନ ଗଙ୍ଗୋତ୍ରୀଙ୍କ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଥିଲା । ଅକ୍ଷୟ ତୃତୀୟା ଅବସରରେ ମଧ୍ୟରାତ୍ରୀ ୧୨.୩୫ରେ ଗଙ୍ଗୋତ୍ରୀ ଧାମର ଦ୍ବାର ଖୋଲାଯାଇଥିଲା। ଏହାପରେ ପରେ ମାଆ ଯମୁନାଙ୍କ ବାସସ୍ଥାନ ଯମୁନେତ୍ରୀ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । ଏହାପରେ ଗତ ୨୫ ତାରଖ ମଙ୍ଗଳବାର ଦିନ ବାବା କେଦାରନାଥ ଦ୍ବାର ଭକ୍ତଙ୍କ ପାଇଁ ଖୋଲିଥିଲା । ମନ୍ଦିରର ମୁଖ୍ୟ ପୂଜକ ଜଗଦଗୁରୁ ରାୱଲ ଭୀମା ଶଙ୍କର ଲିଙ୍ଗ ଶିବଚାର୍ଯ୍ୟ ମନ୍ଦିର ଦ୍ବାର ଖୋଲିଥିଲେ । ଚଳିତ ଥର କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟରର ସୁବିଧା କରାଯାଇଛି ।