ଉତ୍ତରାଖଣ୍ଡରେ ସେନା ବସ୍‌ ଦୁର୍ଘଟଣାଗସ୍ତ, ୧୨ ଆଇଟିବିପି ଯବାନ ଆହତ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହେଲା ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌ । ଏଥିରେ ୧୨ଜଣ ଆଇଟିବିପି ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆଜି (ଗୁରୁବାର) ସକାଳେ ଉତ୍ତରାଖଣ୍ଡର ତାନକପୁର-ଚମ୍ପାବତ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଇଣ୍ଡୋ ତିବ୍ବତ ବର୍ଡର ପୋଲିସର (ଆଇଟିବିପି) ୧୪ ବାଟାଲିୟନର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ପିଥୋରାଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡିଥିଲା ।

ବସ୍‌ରେ ୧୨ ଜଣ ଯବାନ ଯାତ୍ରା କରୁଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯବାନମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ମଧ୍ୟ ସୂଚନା ମିଳିଛି । ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାବେଳେ, ଘାଟି ରାସ୍ତାରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥବା ସନ୍ଦେହ କରାଯାଉଛି ।

କିନ୍ତୁ ଏହା ଖାଇକୁ ଖସିବା ପରିବର୍ତ୍ତେ ଏକ ଗଛରେ ଧକ୍କା ଖାଇ ଅଟକି ରହିଥିଲା। ଫଳରେ ଏକ ବଡ ଦୁର୍ଘଟଣା ଟଳିଛି। ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଯବାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଥିଲା। ହସ୍ପିଟାଲରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା।