ହକି ବିଶ୍ବକପ୍‌ ୨୦୨୩: ପୁଲ୍‌ D’ରେ ଭାରତ, ଘୋଷଣା କଲେ ନବୀନ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି (ଗୁରୁବାର) ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟ ପାଇଁ ପୁଲ୍‌ ଘୋଷଣା ହୋଇଛି। ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ ଡ଼ି’ରେ ସ୍ଥାନ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ଉପସ୍ଥିତିରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଛନ୍ତି । ପୁଲ୍‌ ଡ଼ି’ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି। ମୋଟ୍‌ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍‌ରେ ୪ଟି ଲେଖାଏଁ ଟିମ ରହିଛନ୍ତି।

ପୁଲ୍‌ A: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ପ୍ରାନ୍ସ , ଦକ୍ଷିଣ ଆଫ୍ରିକା

ପୁଲ୍‌ B: ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ

ପୁଲ୍‌ C: ନେଦଲରାଣ୍ଡ୍‌ସ, ଚିଲି, ମାଲେସିଆ, ନ୍ୟୁଜିଲାଣ୍ଡ

ପୁଲ୍‌ D: ଭାରତ, ଇଂଲଣ୍ଡ, ସ୍ପେନ, ୱେଲ୍ସ

ଭାରତ ସହ ପୁଲ୍‌ ଡ଼ି’ରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍‌ରେ ଥିବା କୁହାଯାଉଛି। ଫଳରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି। ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ଏଫ୍‌ଆଇଏଚ୍‌ ଅଧିକାରୀ, ହକି ଇଣ୍ଡିଆ ଅଧିକାରୀ, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ରହିଥିଲେ।

୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାରେ ଖେଳାଯିବ ଏହି ମେଗା ବିଶ୍ଵକପ ଟୁର୍ଣ୍ଣାମେଣ୍ଟ । ଭୁବନେଶ୍ବର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମ ରାଉରକେଲାର ଖେଳାଯିବ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ । ୫ଟି ମହାଦେଶର ୧୬ଟି ଦେଶ ଏଥିରେ ଅଂଶଗ୍ରହଣ କରିବେ ।

ଗତକାଲି ରାଉରକେଲାର ବିର୍ସାମୁଣ୍ଡ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ଏଫଏଚଆଇ ଦଳ ଟିମ । ଷ୍ଟାଡିୟମରେ ଏକ ହକି ଅଭ୍ୟାସ କେନ୍ଦ୍ରର ଉଦଘାଟନ ହୋଇଛି । ପୁରୁଷ ବିଶ୍ବକପ ହକିର ଏହି ସଂସ୍କରଣକୁ ମିଶାଇ ଭାରତ ବିଶ୍ବର ପ୍ରଥମ ଦେଶ ହେବାକୁ ଯାଉଛି, ଯିଏକି ସର୍ବାଧିକ ୪ ଥର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମଧ୍ୟ ଓଡିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ରେକର୍ଡ କରିବାକୁ ଯାଉଛି ।