୧୧ ଚୋରି ବାଇକ୍ ଜବତ; ୩ ନାବାଳକ ଅଟକ, ୨ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ଟାଉନ୍ ଥାନା ପୁଲିସ ଦ୍ୱାରା ୧୧ଟି ଚୋରି ବାଇକ୍ ଜବତ କରାଯିବା ସହ ୩ ନାବାଳକଙ୍କୁ ଅଟକ ଓ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଜୟପୁର ସଦର ଥାନା ଗଡ଼ପଦର ଗ୍ରାମର ଡମରୁ ହରିଜନ(୨୪) ଓ କୁନ୍ଦୁରା ଥାନା ସରଗିଗୁଡା ଗ୍ରାମର ରାଜ କୁମାର ପାଣି(୨୬) ରହିଛନ୍ତି। ସୂଚନା ଅନୁଯାୟୀ, ୨୦୨୧ ଜାନୁଆରୀ ୧୦ରେ ଜୟପୁର ପାରାବେଡାର ବିଦିପ୍ତ କିଶୋର ପାଣିଗ୍ରାହୀ ତାଙ୍କ ବାଇକ୍ ଚୋରି ହୋଇଥିବା ନେଇ ଜୟପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

ଜୟପୁର ସହରରେ ଲଗାତାର ବାଇକ୍ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲା। ପରେ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ବାଇକ୍ ଚୋର ରାକେଟକୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ସ୍ୱତନ୍ତ୍ର ଟିମ୍ ପଡୋଶୀ ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ସମେତ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଏବଂ କୁନ୍ଦୁରା ଅଞ୍ଚଳରେ ଚଢ଼ଉ କରି ୧୧ଟି ଚୋରି ବାଇକ୍ ଜବତ କରିବା ସହ ୩ ନାବାଳକଙ୍କୁ ଅଟକ ସହିତ ୨ ଜଣଙ୍କୁ ଗିରଫ କରିଛି।