ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି। ଆଜି ନୂତନ ଭାବେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି। ସମ୍ପୃକ୍ତ ଆକ୍ରାନ୍ତମାନେ ଜିଲ୍ଲାର ଅଗ୍ନୀପୁର, ଝରିଗାଁ ଓ ବୁଚିିଆଗୁଡ଼ା, କାଉରିଆଗୁଡ଼ା, ବଡ଼କୋଇଲାରୀ, ବଡ଼ଗାଁ, ଦେଓଗାଁ, ଭମରକୋଟ ଟାଉନର ୧୨ ନଂ ୱାର୍ଡ ଓ କୋରାଣ୍ଡିମାଳ ଅଞ୍ଚଳରୁ ଚିହ୍ନଟ ହେବାପରେ ଆଜିଠାରୁ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ଘୋଷଣା କରିଛନ୍ତି। ଏଥିସହ ସଂକ୍ରମଣ ନ ବ୍ୟାପିବା ପାଇଁ ସମଗ୍ର ଜିଲ୍ଲାକୁ ସପ୍ତାହର ଶନି ଓ ରବିବାର ସଟଡାଉନ ଘୋଷଣା କରାଯାଇ କଣ୍ଟାକ୍ଟ ଟ୍ରାସିଂ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ୧୫ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ଘଟିଛି। ସେହିପରି ୪୧ଜଣ ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୨ଜଣ ଉମରକୋଟରେ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି।