ନୂଆଦିଲ୍ଲୀ: କରୋନା ଯୋଗୁ ଦୀର୍ଘଦିନ ଧରି ୟୁକ୍ରେନରେ ଫସି ରହିଥିବା ୧୦୧ ଭାରତୀୟ ଛାତ୍ର ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ବିମାନ ଯୋଗେ ଇନ୍ଦୋରର ଅହଲ୍ୟାବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଉକ୍ତ ବିମାନବନ୍ଦରର ନିର୍ଦ୍ଦେଶକ ଅର୍ୟମା ସାନ୍ୟାଲ କହିଛନ୍ତି କି, ୟୁକ୍ରେନର ବରିସ୍ପିଲ ବିମାନବନ୍ଦରରୁ ଉଡ଼ାଣ ଭରି ଭାରତୀୟ ସମୟ ସକାଳ ୫ଟା ୮ ମିନିଟରେ ଏହି ଛାତ୍ରଛାତ୍ରୀ ଭାରତ ପହଞ୍ଚିଥିଲେ। ଭାରତ ପହଞ୍ଚିବା ପରେ ବିମାନବନ୍ଦରରେ ହିଁ ସେମାନଙ୍କର ସ୍କ୍ରିନିଂ କରାଯାଇଥିଲା। ଆଉ କାହାରିଠାରେ ବି କରୋନା ଲକ୍ଷଣ ଦେଖାଯାଇ ନଥିଲା।
ସ୍ୱଦେଶ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ମଧ୍ୟପ୍ରଦେଶ ସମତେ ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ଆସାମ, ବିହାର, ତାମିଲନାଡ଼ୁର ମେଡିକାଲ ଛାତ୍ରଛାତ୍ରୀ ରହିଛନ୍ତି। ଯେଉଁମାନେ କି ୟୁକ୍ରେନର ଭିନ୍ନ ଭିନ୍ନ ଅନୁଷ୍ଠାନରେ ପଢ଼ୁଥିଲେ। ଏମାନଙ୍କ ମଧ୍ୟରୁ ଇନ୍ଦୋରର ୨୦ ଜଣ ବିଦ୍ୟାର୍ଥୀ ରହିଛନ୍ତି ଓ ସେମାନଙ୍କୁ ସହରର ଏକ ହୋଟେଲରେ କ୍ୱାରେଣ୍ଟାଇନରେ ରଖିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ଅନ୍ୟ ରାଜ୍ୟର ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।