୩ଟି ଗାଁରୁ ୧୦୦ ଲିଟର ଦେଶୀ ମଦ ଜବତ

କେରମେଲି,ଏନ୍ଏନ୍ଏସ୍: କରୋନା ସମୟରେ ଗାଁ ଗାଁରେ ମଦ ବେପାର ବଢ଼ିବାରେ ଲାଗିଛି। ବେଆଇନ ଭାବରେ ମହୁଲକୁ ଗରମ ପାଣିରେ ସିିଝାଇ ବିଷାକ୍ତ କେମିକାଲ ମିଶାଇ ମଦ ବେପାରୀ ମଦ ବିକ୍ରି କରୁଛନ୍ତି। ଏହାର ପ୍ରମାଣ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି। ଅନ୍ୟପଟେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେବେ ଅବକାରୀ ବିଭାଗ ଆଜି ତୁରେକେଲା ବ୍ଲକର ଢୋଲମାନ୍ଦଲ, କନ୍ଦାଗାଡ଼, ବାହାବଲ, ଗଇନ୍ଦିମାଲ, ଗବରା ଓ ମହୁଲପାର୍ଟି ଗ୍ରାମରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ସମୟରେ କନ୍ଦାଗାଡ଼, ବାହାବଲ ଓ ଗବରାରେ ୫ଜଣଙ୍କ ଘରୁ ମଦ ଜବତ ହୋଇଥିଲା। ସେମାନଙ୍କ ଘରୁ ମହୁଲ ପୋଚ, ୧୦୦ ଲିଟର ମଦ ଓ ମଦ ରଖିଥିବା ବିଭିନ୍ନ ଜିନିଷକୁ ଅବକାରୀ ବିଭାଗ ଜବତ କରିଛି। ସେହି ୫ଜଣଙ୍କ ନାଁରେ ୪୧ ସିଆରପିସି ଆକ୍ଟରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ତୁରେକେଲାରେ ବେଆଇନ ଭାବରେ ରନ୍ଧା ମଦ ବିକ୍ରି କରାଯାଉଥିବାରୁ ମଦ ବେପାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।