ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକ ବେଙ୍ଗାଲୁରୁର ୧୦ ବର୍ଷର ବାଳକ ଆର୍ କନିଷ୍କର ଆଇନଜୀବୀଙ୍କ କାର୍ଯ୍ୟକୁ ସହଜ କରିବା ପାଇଁ ‘ଇ-ଆଟର୍ଣ୍ଣି’ ନାମକ ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ଏହି ଆପ୍ ବିଶ୍ବର ସମସ୍ତ ଆଇନଜୀବୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି। ତାଙ୍କ ପିତା ଜଣେ ଆଇନଜୀବୀ ହୋଇଥିବାବେଳେ ସେ ବିଶେଷ କରି ପିତାଙ୍କ ଅସୁବିଧା ଦେଖିବା ପରେ ଏହି ଆପ୍ ତିଆରି କରିବା ପାଇଁ ମନସ୍ଥ କରିଥିଲେ ବୋଲି କହିଛନ୍ତି।
ବିଭିନ୍ନ ମାମଲା ସହ ଜଡିତ ତଥ୍ୟ ମହକିଲଙ୍କ ଠାରୁ ସଂଗ୍ରହ କରିବାରେ ତାଙ୍କ ପିତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କନିଷ୍କର ଏହା ଜାଣିବା ପରେ ଏହି ଆପ୍ ବିକଶିତ କରିବାକୁ ସେ ମନ ବଳାଇଥିଲେ। ଏଥିଲାଗି ସେ ତାଙ୍କ ହ୍ବାଇଟ ହାଟ ଜୁନିଅର ପାଠ୍ୟକ୍ରମରେ କୋଡିଂ ପ୍ରୋଜେକ୍ଟ ବାଛିଲେ ଏବଂ ଆପ୍ ବିକାଶ କରିବାକୁ ଲାଗିଲେ। ଏହି ଛୋଟ ଆପ୍ଟିକୁ ବିକଶିତ କରିବା ପାଇଁ ତାଙ୍କୁ ହ୍ବାଇଟହାଟ୍ ଅନୁଷ୍ଠାନ ସାହାଯ୍ୟ କରିଥିଲା।
ଏହି ଆପ୍ଟି ଆଇନଜୀବୀଙ୍କୁ ମହକିଲଙ୍କଠାରୁ ଡକ୍ୟୁମେଣ୍ଟ ସଂଗ୍ରହ କରିବାରେ ସାହାଯ୍ୟ କରେ। ଏହି ଆପ୍ ଜରିଆରେ ସେ ସେମାନଙ୍କ ମହକିଲଙ୍କ ସହିତ ସିଧାସଳଖ ଭାବେ ଯୋଗାଯୋଗ କରିପାରିବେ। ଏହି ଆପ୍ରେ ତଥ୍ୟଗୁଡ଼ିକ ଆସି ଷ୍ଟୋର ହୋଇ ରହୁଛି । ଏଥିରେ ମହକିଲଙ୍କ ସହିତ କଥାବାର୍ତ୍ତା ହେବାର ଅପସନ୍ ମଧ୍ୟ ରହିଛି। ସେ ଗଣମାଧ୍ୟମକୁ ଏହି ଆପ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କାମ ବ୍ୟସ୍ତତା ଯୋଗୁଁ ତାଙ୍କ ପିତା ସବୁବେଳେ ଘରକୁ ବିଳମ୍ବରେ ଆସୁଥିଲେ।
ଏହାସହିତ ସେ ଯେତେବେଳେ ତାଙ୍କ ପିତାଙ୍କ ଅଫିସକୁ ଯାଉଥିଲେ ସେତେବେଳେ ଜୁନିଅର ଆଇନଜୀବୀମାନେ ଡକ୍ୟୁମେଣ୍ଟ ପାଇଁ ତାଙ୍କ ନିକଟରେ ଧାଡ଼ି ବାନ୍ଧୁଥିଲେ । ସେ ଠିକ୍ ସମୟ ମଧ୍ୟରେ ତାଙ୍କ ପିତାଙ୍କ କାର୍ଯ୍ୟ ଶେଷ କରିବାକୁ ଚାହୁଁଥିଲେ। ଯାହାଫଳରେ ସେ ବିଳମ୍ବ ରାତିରେ ଘରକୁ ନ ଫେରି ଠିକ ସମୟ ଫେରିପାରିବେ। ଏହାପରେ ସେ ଏହି ଆପ୍ଟିକୁ ତିଆରି କରିବା ପାଇଁ ଯୋଜନା କରିଥିଲେ। ଏଥିରେ କୋଡ଼ିଂ ପାଠକୁ ବ୍ୟବହାର କରି ସେ ଏହି ଆପ୍କୁ ତିଆରି କରିଛନ୍ତି।