ବଳପୂର୍ବକ ଧର୍ମାନ୍ତୀକରଣ କଲେ ଭୋଗିବେ ୧୦ ବର୍ଷ ଜେଲ୍‌ ଦଣ୍ଡ

ଲଖନଉ,ଏଜେନ୍ସି: ଲଭ୍‌ ଜିହାଦକୁ ନେଇ ଉତ୍ତର ପ୍ରଦେଶରେ ବିବାଦ ଲାଗି ରହିଥିବା ବେଳେ ବଳପୂର୍ବକ ଧର୍ମାନ୍ତୀକରଣ ବିରୋଧରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ବଳପୂର୍ବକ କେହି କାହାରି ଧର୍ମାନ୍ତୀକରଣ କରାନ୍ତି, ତା’ହେଲେ ତା’କୁ ୧୦ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ଏନେଇ ଉତ୍ତର ପ୍ରଦେଶ ସରକାର ଗୋଟିଏ ଅଧ୍ୟାଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ୍‌ ଏହି ଅଧ୍ୟାଦେଶ ଉପରେ ମୋହର ମାରିବା ପରେ ଏହା ତତ୍କାଳ ରାଜ୍ୟରେ ଲାଗୁ କରାଯାଇଛି।

ଅଧ୍ୟାଦେଶରେ କୁହାଯାଇଛି ଯେ ବଳପୂର୍ବକ ଧର୍ମାନ୍ତୀକରଣ ରାଜ୍ୟରେ ଏକ ଦଣ୍ଡନୀୟ ଅପରାଧ। ଯିଏ ଏଭଳି କାର୍ଯ୍ୟରେ ସାମିଲ ହେବ, ତା’କୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ସହ ୧୫-୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ସେହିପରି ଧର୍ମାନ୍ତୀକରଣ କରି ହୋଇଥିବା ବିବାହକୁ ମଧ୍ୟ ଅବୈଧ ଘୋଷଣା କରାଯିବ। ସରକାରଙ୍କ ମୁଖପାତ୍ର କହିଛନ୍ତି, ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଅଧ୍ୟାଦେଶ ଜରୁରୀ ଥିଲା। ମହିଳା ଓ ବିଶେଷ କରି ଏସସି/ଏସଟି ସମ୍ପ୍ରଦାୟକୁ ନ୍ୟାୟ ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ବାହାଘର ପାଇଁ ରାଜ୍ୟରେ ବଳପୂର୍ବକ ଧର୍ମାନ୍ତୀରକଣ ସଂଖ୍ୟା ବଢ଼ିବାରେ ଲାଗିଛି।

ଯଦି କେହି ବାହାଘର ପାଇଁ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହାନ୍ତି, ତା’ହେଲେ ତାଙ୍କୁ ଦୁଇ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନୋଟିସ ଦେବାକୁ ପଡ଼ିବ। ଏହାକୁ ନ ମାନିଲେ ସମ୍ପୃକ୍ତ ଲୋକଙ୍କୁ ୧୦ ହଜାର ଟଙ୍କା ଯାଏ ଜୋରିମାନା ଓ ୬ ମାସରୁ ୩ ବର୍ଷ ଯାଏ ଜେଲଦଣ୍ଡ ମିଳିବ।