ସିଡ୍ନି,ଏଜେନ୍ସି: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍। ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଇବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଖେଳାଳିମାନେ ୧୯୯୨ ବିଶ୍ବକପ୍ ଭଳି ଜର୍ସି ପିନ୍ଧିବେ। ଏ ନେଇ ସଂକେତ ଦେଇଛନ୍ତି ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍। ଏନେଇ ଧୱନ୍ ଏହି ନୂଆ ଜର୍ସି ପିନ୍ଧି ଏହାର ଫଟୋ ନିଜ ଟୁଇଟର ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି ‘‘ନୂଆ ଜର୍ସି, ନବୀକରଣ ପ୍ରେରଣା’’।
ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୩ ଲେଖାଏଁ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-୨୦ ଶୃଙ୍ଖଳା ଏବଂ ୪ ଟେଷ୍ଟ୍ ମ୍ୟଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ପ୍ରଥମେ ସୀମିତ ଓଭର ଶୃଙ୍ଖଳା ଏବଂ ପରେ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ। ଶୁକ୍ରବାରଠୁ ଦିନିକିଆ ଶୃଙ୍ଖଳା ଖେଳି ଭାରତ ଏହି ଗସ୍ତ ଆରମ୍ଭ କରିବ।