ଦେବଗଡ଼ର ୩ ବ୍ଲକର ୧୦ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କରୋନା ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ବ୍ଲକର ୧୦ଟି ଗ୍ରାମକୁ ନିଷିଧ୍ୟାଞ୍ଚଳ ଭାବେ ଘୋଷଣା କରାଯାଇଛି। ବାରକୋଟ ବ୍ଲକର ବୁଢ଼ିବାହାଲ, ବସାଲଇ, କାଲକାଠ, ରିଆମାଳ ବ୍ଲକର କୁମାଳ(ଗଣ୍ଡସାହି), ତିଲେଇବଣୀ ବ୍ଲକର ସୁଗୁଡ଼ା, ଖୁଆପାଲି, ନିକ୍ତିମାଲ, ସଢ଼ୋ, ବରଘାଟ ଓ ହେଟଖମାର ଗ୍ରାମକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏହାସହ ଉପରୋକ୍ତ ଗ୍ରାମ ଗୁଡ଼ିକରେ ଅତ୍ୟାବଶ୍ୟକ ନଥିଲେ ସରକାରୀ କାର୍ଯ୍ୟକ୍ରମକୁ ସାମୂହିକ ଭାବେ ସ୍ଥଗିତ ରଖିବା ସହ ସଂପୃକ୍ତ ବ୍ଲକର ବିଡିଓ କିମ୍ବା ଉପଜିଲ୍ଲାପାଳଙ୍କ ଅନୁମତି ନେଇ ସେଠାକୁ ଯିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ୩ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟ ବିଶିଷ୍ଟ ଦେବଗଡ଼ ଜିଲ୍ଲାରେ ଗତକାଲି ସୁଦ୍ଧା ୧ଲକ୍ଷ ୨୭ ହଜାର ୫୧୬ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ୧୫୫୯ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ଗତକାଲି ସୁଦ୍ଧା ଜିଲ୍ଲାରେ ୩୪ ହଜାର ୬୭୧ ଜଣଙ୍କୁ କରୋନା ଟିକା ଲଗାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ଦ୍ରୁତ ଗତିକୁ ଦୃଷ୍ଟିରେ ରଖି ସରକାରୀ ସହାୟତା ଅପେକ୍ଷା ବ୍ୟକ୍ତଗତ ପ୍ରଚେଷ୍ଟା ବଳରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଏହି ସଂକ୍ରମଣକୁ ରୋକାଯାଇପାରିବ ବୋଲି ବହୁ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।