୧୫ଦିନରେ ସମସ୍ତ ଅରଟିଓକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆ ଏମ୍‌ଭିଆଇ ଆକ୍ଟ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଦିନ ମଧ୍ୟରେ ସମସ୍ତ ଅରଟିଓ ଅଫିସକୁ ଦଲାଲ ମୁକ୍ତ କରିବାକୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରୁ ଭିଡିଓ କନଫରେନ୍ସଂ ଜରିଆରେ ବିଭିନ୍ନ ଅଞ୍ଚଳର ଜିଲ୍ଲାପାଳ, ଏସ୍ପି ଓ ଆରଟିଓମାନଙ୍କ ସହିତ ଆଲୋଚନା କରଛନ୍ତି। ଏହି ଅବସରରେ ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ଓ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ସେହିପରି ଆରଟିଓ କାର୍ଯ୍ୟାଳୟ ସହିତ ଡାକ୍ତରଖାନାରେ ମଧ୍ୟ ଏମାନେ ସକ୍ରିୟ ହୋଇଛନ୍ତି । ତେବେ ଲୋକଙ୍କୁ ଠକି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି । ଲାଇସେନ୍ସ ପାଇଁ ବ୍ଲଡ୍‍ ଗ୍ରୁପ୍ ରିପୋର୍ଟ ଓ ଡାକ୍ତରୀ ଫିଟ୍‌ନେସସାର୍ଟିଫିକେଟ୍‌ର ଆବଶ୍ୟକତା ରହିଛି । ତେଣୁ ଡାକ୍ତରଖାନାରେ ବେଶୀ ପରିମାଣରେ ଦଲାଲ ସକ୍ରିୟ ଅଛନ୍ତି ।

ବଲାଙ୍ଗିର ପୁଲିସ ଗୁରୁବାର ଉଭୟ ସ୍ଥାନରେ ଚଢ଼ଉ କରି ୧୦ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୫ ଜଣ ଯୁବତୀ ଅଛନ୍ତି । ଯୁବତୀମାନଙ୍କୁ ହସ୍ପିଟାଲରୁ ଗିରଫ କରାଯାଇଥିବାବେଳେ ୫ ଯୁବକଙ୍କୁ ଆରଟିଓ କାର୍ଯ୍ୟାଳୟରୁ ଗିରଫ କରାଯାଇଛି । ଗିରଫମାନଙ୍କ ନାଁରେ ଠକେଇ ଉଦ୍ୟମ ମାମଲା ରୁଜୁ କରାଯାଇଛି ।