ବିପଦସଙ୍କୁଳ ଘେରରେ ଲିଙ୍ଗରାଜ ମନ୍ଦିର, ଦଧିନଉତିରେ ଫାଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲିଙ୍ଗରାଜ ମନ୍ଦିରର ଦଧିନଉତିରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏ ନେଇ ଦେବୋତ୍ତର କମିସନ ପକ୍ଷରୁ ଏଏସଆଇକୁ ଚିଠି ଲେଖାଯାଇଛି। ରାଜ୍ୟର ସବୁଠୁ ବଡ଼ ଶୈବ ପୀଠ ସଙ୍କଟାପନ୍ନ ଅବସ୍ଥାରେ ଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ହୋଇଥିବା ଦର୍ଶାଇ ଦେବୋତ୍ତର କମିସନର ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଚିଠି ଲେଖିଛନ୍ତି । ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ମରାମତି କରିବାକୁ ଚିଠିରେ ଅନୁରୋଧ କରାଯାଇଛି ।

ଚିଠିରେ କୁହାଯାଇଛି ଯେ, ମୁଖ୍ୟ ମନ୍ଦିରରେ ଦଧିନଉତିରେ ଫାଟ ସୃଷ୍ଟି ହୋଇଛି । ଶୀଘ୍ର ଏହାର ମରାମତି ଦରକାର । ମନ୍ଦିରରୁ ପଥର ଖସିବା ଆଶଙ୍କା ବି ରହିଛି । ମୁଖ୍ୟମନ୍ଦିର ଓ ପାଶ୍ୱର୍ ଦେବାଦେବୀ ମନ୍ଦିରରେ ପାଣି ଲିକ୍ ହେଉଥିବାରୁ ଶୀଘ୍ର ଏହାର ମରାମତି ପାଇଁ ବି ଅନୁରୋଧ କରିଛି ଦେବୋତ୍ତର କମିଶନର । ଗର୍ଭଗୃହର ଚଟାଣ ବି ନଷ୍ଟ ହୋଇଥିବା ଚିଠିରେ କୁହାଯାଇଛି । ଏକାଦଶ ଶତାଦ୍ଦୀରେ ନିର୍ମିତ ଏହି ମନ୍ଦିର ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ୟ୍ୟ ମନ୍ଦିରଠାରୁ ପୁରାତନ । କିନ୍ତୁ ଏହାର ସ୍ଥାୟିତ୍ୱ ନେଇ ଏବେ ଉଠିଛି ପ୍ରଶ୍ନ । ଜଗନ୍ନାଥ ମନ୍ଦିର, ସୂର୍ୟ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ରାଜ୍ୟ ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୁଜର ଗୈାରବ ବହନ କରେ । ତେଣୁ ଅନ୍ୟ ଦୁଇ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବାକୁ ଦାବି ଉଠିଛି ।