କଙ୍କରଖୋଳ ସନ୍ତୋଷ ହତ୍ୟାକାଣ୍ଡ ଘଟଣା: ୧୦ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା କଙ୍କରଖୋଳ ଗ୍ରାମରେ ଗତ ଏପ୍ରିଲ ୨୮ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଆଜି ରିଆମାଳା ପୁଲିସ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି। ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନା କଙ୍କରଖୋଳ ଗ୍ରାମର ସନ୍ତୋଷ ପ୍ରଧାନ (୫୩)ଙ୍କ ମୃତଦେହ ଏପ୍ରିଲ ୨୮ ତାରିଖ ରାତି ୯ଟାବେଳେ ଛତାବର-କଙ୍କରଖୋଳ ରାସ୍ତାକଡ଼ରେ ଥିବା ସତୀଘାଟ ଚେକଡ୍ୟାମ ନିକଟରୁ ମିଳିଥିଲା। ଏନେଇ ସନ୍ତୋଷଙ୍କ ପୁଅ ଅନୀଲ ରିଆମାଳ ଥାନାରେ ସୂଚନା ଦେଇଥିଲେ। ପରଦିନ ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପାଣିରୁ ମୃତଦେହ ଉଦ୍ଧାର କରିଥିଲା। ସନ୍ତୋଷଙ୍କ ମୁଣ୍ଡକୁ କୁରାଢିରେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଯେ, ମୃତ ସନ୍ତୋଷଙ୍କ ସହ ଉକ୍ତ ଗ୍ରାମର ଜୈନେକ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ସେହି ବ୍ୟକ୍ତି ତାଙ୍କ ବାପାଙ୍କୁ ମାରିଥାଇ ପାରନ୍ତି ବୋଲି  ଅନୀଲ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ହତ୍ୟାକାଣ୍ଡ ଗଞ୍ଜେଇ ବ୍ୟବସାୟକୁ ନେଇ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ଅଭିଯୋଗ ପରେ ପରିବାରକୁ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଥିଲେ।

ଦେବଗଡ଼ ଏସପି ରାହୁଲ ଜୈନ ପୀଡିତ ପରିବାରକୁ ଶୀଘ୍ର ନ୍ୟାୟ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେବାସହ ମାମଲାକୁ ନିଜ ତତ୍ତ୍ୱାବଧାନରେ ନେଇ ରିଆମାଳ ଥାନା ଅଧିକାରୀ ସମେତ ଏକ ସ୍ୱତନ୍ତ୍ର ପୁଲିସ ଟିମ, ଫରେନସିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣାର ମାଷ୍ଟରମାଇଣ୍ଡ ଗୋଳାବନ୍ଧ ଗ୍ରାମର ଜତୀନ୍ଦ୍ର ସାହୁ(୬୫), ବଡ଼ଝରଣ ଗ୍ରାମର ବାଲିଆ ବେହେରା(୫୬), ଛତାବର ଗ୍ରାମର ପ୍ରଦୀପ ପ୍ରଧାନ(୫୫), ଗୋଳାବନ୍ଧ ଗ୍ରାମର ଗୋପିନାଥ ପ୍ରଧାନ(୫୬), ବଡ଼ଝରଣ ଗ୍ରାମର ବିଦ୍ୟାଧର ବେହେରା (୩୨), ଟିଙ୍କବିର ଗ୍ରାମର ପରମେଶ୍ୱର ବେହେରା(୫୧), ଗୋଳାବନ୍ଧ ଗ୍ରାମର ଆଲୋକ ପ୍ରଧାନ(୨୫),ଗୋଳାବନ୍ଧ ଗ୍ରାମର ଆଲୋକ ପ୍ରଧାନ(୨୫)ସନ୍ତୋଷଙ୍କୁ ରାସ୍ତାରୁ ହଟାଇବା ପାଇଁ କୀର୍ତ୍ତନପାଲି ଗ୍ରାମର ଡିଲେଶ୍ୱର ପ୍ରଧାନ (୨୦), ମାଦଲିଆ ଗ୍ରାମର ଚୈତନ୍ୟ ପୁଲେଇ ଓରଫ ତାପସ (୨୦), ନାଉଲୀପଡ଼ା ଗ୍ରାମର ଜ୍ୟୋର୍ତିମୟ ନାୟକ ଓରଫ ରାଜା (୨୦)ଙ୍କୁ ୫ ହଜାର ଟଙ୍କା ଲେଖାଏଁ ସୁପାରୀ ଦେଇଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ପୁଲିସ ଉପରୋକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି।