ନିଆଦିଲ୍ଲୀ: କରୋନା ନିୟମ ଉଲଂଘନକାରୀଙ୍କ ବିରୋଧରେ ଝାଡ଼ଖଣ୍ଡ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। ଏହି ନୂଆ ପଦକ୍ଷେପ ଅନ୍ତର୍ଗତ ମାସ୍କ ନପିନ୍ଧିଲେ ୧ଲକ୍ଷ ଟଙ୍କା ସହ ୨ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇପାରେ। ଝାଡ଼ଖଣ୍ଡ କ୍ୟାବିନେଟ ସଂକ୍ରାମକ ରୋଗ ଅଧ୍ୟାଦେଶ ୨୦୨୦କୁ ଆଂଶିକରୂପେ ପାରିତ କରିଛନ୍ତି। ଅନ୍ୟପଟେ ଝାଡ଼ଖଣ୍ଡରେ କରୋନା ଆକ୍ରାନ୍ତଙ୍କ ମାମଲା ଦିନକୁଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି କି, ଏବେ ଅଧ୍ୟାଦେଶ ପୂର୍ଣ୍ଣ ରୂପରେ ଲାଗୁ ହୋଇନାହିଁ। ଜଣଙ୍କ ଉପରେ ମାମଲା ଚାଲିବା ପରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କଠାରୁ ୧ଲକ୍ଷ ଜୋରିମାନା ଆଦାୟ କରାଯିବ। ଏମିତି ନୁହେଁ କି ଘଟଣାସ୍ଥଳରେ ଯାଞ୍ଚ କରାଯାଇ କାହାଠାରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ। ଆମ ସରକାର ସମ୍ପୂର୍ଣ୍ଣ ଜାଗରୁକତା ସହ କରୋନା ବିରୋଧରେ ଲଢ଼ିବାର ପ୍ରୟାସ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୮୫କୁ ବୃଦ୍ଧି ପାଇଥିବାବେଳେ ୩,୦୨୪ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୬୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୩୯୭ ଜଣ ଚିକିତ୍ସିତ ହେଉଛନ୍ତି।