ସେନାକୁ ୧ ଲକ୍ଷ ବୁଲେଟ ପ୍ରୁଫ୍ ଜ୍ୟାକେଟ ହସ୍ତାନ୍ତର

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ସେନାଧ୍ୟକ୍ଷ ଜେନେରାଲ ଏମ୍‍.ଏମ୍‍. ନରୱଣେଙ୍କୁ ଏକ ଲକ୍ଷ ବୁଲେଟ୍‍ ପ୍ରୁଫ୍‍ ଜ୍ୟାକେଟ୍‍ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଶ୍ରୀ ନରୱଣେ କହିଛନ୍ତି ଶତ୍ରୁ ସହିତ ସଂଗ୍ରାମରତ ଆମ ବୀର ଯବାନମାନଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଯବାନମାନଙ୍କ ନିରାପତ୍ତା ଉପରେ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଯବାନମାନଙ୍କୁ ସବୁ ସମୟରେ ସର୍ବୋତ୍କୃଷ୍ଟ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣ ଯୋଗାଇବାକୁ ସରକାର ସୁନିଶ୍ଚିତ କରିବେ ଏବଂ ଏହା ସବୁବେଳେ ପ୍ରାଥମିକତାର ପ୍ରସଙ୍ଗ ହୋଇ ରହିବ।

ଧାର୍ଯ୍ୟ ତାରିଖର ୪ ମାସ ପୂର୍ବରୁ ଏହି ବୁଲେଟ୍‍ ପ୍ରୁଫ୍‍ ଜ୍ୟାକେଟକୁ ହସ୍ତାନ୍ତର କରାଯାଇଥିବାରୁ ଶ୍ରୀ ନାୟକ ଏହାର ନିର୍ମାଣକାରୀ ସଂସ୍ଥା ଏସଏମପିପି ପ୍ରାଇଭେଟ୍‍ ଲିମିଟେଡକୁ ପ୍ରଶଂସା କରିଛନ୍ତି। ମନ୍ତ୍ରୀ କହିଛନ୍ତି ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ବୁଲେଟ ପ୍ରୁଫ୍‍ ଜ୍ୟାକେଟ୍‍ଗୁଡ଼ିକ ଦେଶରେ ପ୍ରସ୍ତୁତ ହେବା ସହ ସମଗ୍ର ବିଶ୍ୱକୁ ଏହା ରପ୍ତାନି କରାଯାଇ ପ୍ରତିରକ୍ଷା କ୍ଷେତ୍ରର ସୁରକ୍ଷା ଉପକରଣ ପ୍ରସ୍ତୁତିରେ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିପାରିଛି।