ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ, ଗଠନ ହେଲା ଉଚ୍ଚକ୍ଷମତା ସମ୍ପନ୍ନ କମିଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ମେଡ଼ିକାଲ ଓ ଇଞ୍ଜିନିୟରିଂ କଲେଜ ଓ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ରଖାଯିବା ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ଗତବର୍ଷ ଡିସେମ୍ବର ୨୮ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମ୍ବନ୍ଧରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ସରକାର ଗୁରୁବାର ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି।

ତେବେ ରାଜ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି। ଏହା ସହ କମିଟିରେ ଅନ୍ୟ ୫ ଜଣ ସଦସ୍ୟ ମଧ୍ୟ ରହିଛନ୍ତି। ଉକ୍ତ କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର ଅଶୋକ କୁମାର ଦାସ, ଓଡିଶା ଡାକ୍ତରୀ ଶିକ୍ଷା ଏବଂ ତାଲିମର ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚେୟାରମ୍ୟାନ ବିଏସ ପୁନିଆ, ରାଜ୍ୟ ବୈଷୟିକ ଶିକ୍ଷା ଏବଂ ତାଲିମର ନିର୍ଦ୍ଦେଶକ ତଥା ଆଇଏଏସ୍ ଜି. ରଘୁ ଓ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଡ. ଏକେ ନାୟକ ପ୍ରମୁଖ ସଦସ୍ୟ ଭାବେ କମିଟିରେ ସାମିଲ ହୋଇଛନ୍ତି।

ଗତ ଡିସେମ୍ବର ୨୮ ତାରିଖରେ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ପାଇଁ ଏହି କମିଟି ସୁପାରିଶ କରିବ।