ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଥାନା ଅନ୍ତର୍ଗତ ପତ୍ରାପାଲି ନିକଟସ୍ଥ ଏନଏଚ୍ ୪୯ରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ କଦମଡ଼ିହ ଗ୍ରାମର ଚୁଡ଼ାମଣୀ ରୋହିଦାସ(୧୯) ଓ ଗୁରୁତର ଆହତ ଯୁବକ ମଧ୍ୟ ସେହି ଗ୍ରାମର ସତ୍ୟବାନ ମହାନନ୍ଦ(୧୯) ବୋଲି ଲଖନପୁର ପୁଲିସ ସୂଚନା ଦେଇଛି।
ମିଳିଥିବା ରିପୋର୍ଟ ମୁତାବକ, ଚୁଡ଼ାମଣୀ ଓ ସତ୍ୟବାନ ଉଭୟେ ରମ୍ପାଲୁଗା ଅଞ୍ଚଳରେ ହୀରାକୁଦ ଜଳ ଭଣ୍ଡାରକୁ ମାଛ ଧରିବାକୁ ଯାଆନ୍ତି । ସବୁଦିନ ପରି ଆଜି ସେମାନେ ଭୋର ୪ଟା ସମୟରେ ବାଇକ ଯୋଗେ ରମ୍ପାଲୁଗା ଅଭିମୁଖେ ଯାଉଥିଲେ। ଏହି ସମୟରେ ପତ୍ରାପାଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ଉଭୟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଚୁଡ଼ାମଣୀକୁ ମୃତ ଘୋଷଣା କରିବା ସହ ସତ୍ୟବାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଲଖନପୁର ଥାନାଧିକାରୀ ଦୁଃଖିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।