ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ ବାରଗାଡିଆ ଗ୍ରାମର ଲଷ୍ମଣ ଲୂହୁରା(୩୦) ଗତକାଲି ସନ୍ଧ୍ୟାରେ କଂସର ଫାଣ୍ଡି ଅନ୍ତର୍ଗତ କଦଗୁଡ଼ା ଗ୍ରାମ ସ୍ଥିତ ନିଜ ଶ୍ୱଶୂର ଘରୁ ନିକଟସ୍ଥ ସରାନାଳି ଗ୍ରାମରେ ରହୁଥିବା ନିଜ ଭଉଣୀ ଘରକୁ ଗୋହିରା ଜଳ ଭଣ୍ଡାରରେ ଏକ ହୁଲି ଡ଼ଙ୍ଗାରେ ବସି ଯାଇଥିଲେ।
ମଝି ଜଳ ଭଣ୍ଡାରରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଫଳରେ ଲଷ୍ମଣ ବୁଡି ଯାଇଥିଲେ। ଅନ୍ଧାର ଯୋଗୁଁ ତାଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। ଆଜି ସକାଳୁ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଲଷ୍ମଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ କଂସର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।