ବାଲେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ବାଲେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର ଚାଲାଣ କାରବାର। କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବ୍ରାଉନସୁଗାର ମାଫିଆ। ବାଲେଶ୍ୱରରୁ ଏକ କିଲୋ ୩୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ବାଲେଶ୍ୱର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ତେବେ କୌଣସି ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ସହଦେବଖୁଣ୍ଟା ଅଞ୍ଚଳରେ ରେଡ଼ ମାରିଛି। ସେଠାରୁ ଏକ କିଲୋ ୩୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏହା ସହ ବ୍ରାଉନସୁଗାର ଚାଲାଣ କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଜଣଙ୍କର ନାମ ମାନସ ମୁଖୀ ଓ ତାର ଘର ଅରଡ଼ ବଜାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାମ କମଳାକାନ୍ତ ଦାସ ଓ ତା’ଘର ହରିପୁରରେ ବୋଲି ଜଣାପଡିଛି।
ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ଏହି ଧଳା ଜହର କାରବାର ଚେର କେଉଁ ଯାଏଁ ଲମ୍ବିଛି ସେନେଇ ଅଧିକ ପଚରାଉଚରା ଜାରି ରହିଥିବା ଏସଟିଏଫ ସୂଚନା ଦେଇଛି।