କୋରାପୁଟ,ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପୁଲିସ୍ ଦ୍ୱାରା ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରାଯାଇ ୪ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମାଛକୁଣ୍ଡ ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଏସପି ବରୁଣ ଗୁଂଟୁପାଲ୍ଲିଙ୍କୁ ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଓ ମାଛକୁଣ୍ଡ ଥାନାଧିକାରୀଙ୍କ ନେତୃତ୍ୱରେ ଚୋରା ଗଞ୍ଜେଇ ଧରପଗଡ଼ ପାଇଁ ୨ଟି ଟିମ୍ ଗଠନ କରି ପାଟ୍ରୋଲିଂ କରାଯାଉଥିବାବେଳେ କଂଚଣା ଛକରେ ସାହୁପୁଟ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନରକକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କଣ୍ଟେନରରୁ ୩୧ଟି ଜରି ଅଖାରେ ରଖାଯାଇଥିବା ୮୩୦ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିବା ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାରେ ପୁଲିସ୍ ଉତ୍ତପ୍ରଦେଶର ସୁନୀଲ୍ କୁମାର୍ ଓ ଅଙ୍କିତ୍ ସିଂହକୁ ଗିରଫ କରିଛି। କଣ୍ଟେନର ଓ ଗଞ୍ଜେଇ ସହ ପୁଲିସ ଗିରଫ ଅଭିଯୁକ୍ତଙ୍କଠାରୁ ୩୫୦୦ ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ଜବତ ଗଞ୍ଜେଇ ଜୟପୁର, ଛତିଶଗଡ଼ ଦେଇ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ଏହି ମାମଲାରେ ସ୍ଥାନୀୟ ଅଞ୍ଚଳର ଜଣେ ଚୋରା ଗଞ୍ଜେଇ ମାଫିଆ ସମ୍ପୃକ୍ତ ଥିବା ପୁଲିସକୁ ସୁରାକ୍ ମିଳିଥିବାବେଳେ ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।
