ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଥାନା ଗାନ୍ଧିଛକ-ରାଜପୁର ରାସ୍ତାରେ ଥିବା ୪ଟି ଦୋକାନରୁ ଚୋରି ଅଭିଯୋଗରେ ପୁଲିସ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଅଭୟ ରଣା। ଝାରସୁଗୁଡ଼ା ଥାନା ଅଞ୍ଚଳରୁ ଗତବର୍ଷ ଚୋରି କରିଥିବା ଗୋଟିଏ ପଲସର ବାଇକ, ୧୮ଶହ ଟଙ୍କା, ୪ଟି ମୋବାଇଲ, ୮ଟି ଇଅରଫୋନ ଓ ଦୋକାନ ତାଡ଼ିବାରେ ବ୍ୟବହୃତ ଗୋଟିଏ ଲୁହା ଛଡ଼ ଅଭିଯୁକ୍ତ ନିକଟରୁ ଜବତ କରାଯାଇଛି। ଅଭୟ ବିରୋଧରେ ବ୍ରଜରାଜନଗର, ବେଲପାହାଡ଼, ଓରିଏଣ୍ଟ, ଝାରସୁଗୁଡ଼ା ଓ ବଡ଼ମାଲ ଥାନାରେ ୧୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବାବେଳେ ଗତ ୨୦୧୬ରେ ଏକ ମାମଲାରେ ୪ବର୍ଷ ଜେଲଦଣ୍ଡ ଭୋଗିଥିବା ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ମୁତାବକ, ଗତ ୨ ତାରିଖ ରାତିରେ ଗାନ୍ଧିଛକ ରାଜପୁର ରାସ୍ତାରେ ଥିବା ୨ଟି ପାନ ଦୋକାନ, ଗୋଟିଏ ରାସନ ଦୋକାନ ଓ ଗୋଟିଏ ମୋବାଇଲ ଦୋକାନର ତାଲା ଭାଙ୍ଗି ଅଭିଯୁକ୍ତ ଚୋରି କରିଥିଲା। ଏନେଇ ଗାନ୍ଧିଛକ ଫାଣ୍ଡିରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରି ୩ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି।