ଯୁବକର ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମ ନିକଟସ୍ଥ ଶଗଡ଼ିଆ ନାଳରୁ ଆଜି ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ଖବର ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଅନଗୁଳ ଥାନା ଅନ୍ତର୍ଗତ ଅଙ୍ଗପଡ଼ା ଗ୍ରାମର ବାବୁଲା ବେହେରାଙ୍କ ପୁଅ ସିପୁନ ବେହେରା (୨୨) ଗତ ବୁଧବାର ଦିନ ସମ୍ବଲପୁର ଜିଲ୍ଲା ମାନେଶ୍ୱର ଥାନା ଅନ୍ତର୍ଗତ ଭେଲୁଆଟିକ୍ରା ଗ୍ରାମରେ ଥିବା ତାଙ୍କ ଭିଣୋଇ ରାଜୁ ନାୟକ (୨୮)ଙ୍କ ସହ ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଥିବା ରାଜୁଙ୍କ ମାମୁଁ ଘରକୁ ଏକ ବାଇକ ଯୋଗେ ଯାଉଥିବା କହି ନିଜ ଘରୁ ବାହାରିଥିଲେ। ତେବେ ବୁଧବାର ଦିନରୁ ସିପୁନ ନିଖୋଜ ଥିବା ବେଳେ ସେ ରାସ୍ତାରେ କୁଆଡ଼େ ଓହ୍ଲାଇ ଚାଲି ଯାଇଥିବା ତାଙ୍କ ସାଥୀରେ ଆସିଥିବା ଭିଣୋଇ ରାଜୁ ଆଜି ପ୍ରକାଶ କରିଥିଲେ। ଅନ୍ୟପଟେ ବୁଧବାର ଦିନରୁ ହିଁ ସିପୁନ ବ୍ୟବହାର କରୁଥିବା ବାଇକକୁ ଉକ୍ତ ନାଳ ନିକଟସ୍ଥ ରସ୍ତା କଡ଼ରୁ ଭିଣୋଇ ରାଜୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣା ସମ୍ପର୍କରେ କୌଣସିଠାରେ ଅଭିଯୋଗ କରିନଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚ ପାଇଁ ଉକ୍ତ ନାଳକୁ ଯାଇଥିବା ବେଳେ ଅଚିହ୍ନା ଯୁବକର ମୃତଦେହ ଭାସୁଥିବା ଦେଖି ଦେବଗଡ଼ ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଏସଡିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।