ମ୍ୟାଲେରିଆ ଗବେଷଣା କେନ୍ଦ୍ର ସ୍ଥାନାନ୍ତର ପ୍ରସଂଗ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାଉରକେଲାସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରୀୟ ଅନୁଷ୍ଠାନକୁ ସ୍ତାନାନ୍ତର ନକରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋରେ ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,୧୯୮୮ ମସିହାରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାରେ ଏକ ମ୍ୟାଲେରିଆ ରିସର୍ଚ୍ଚ କେନ୍ଦ୍ର ସ୍ଥାପିତ ହୋଇଥିଲା। ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରିବା। ସୁନ୍ଦରଗଡ଼ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳର ମ୍ୟାଲେରିଆର ପ୍ରକୋପ ପ୍ରଶମିତ କରିବା ଦିଗରେ ଏହି ଅନୁଷ୍ଠାନ ଆଖିଦୃଶିଆ କାର୍ଯ୍ୟ କରିଆସୁଛି।  ରାଜ୍ୟର ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି।  ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି। ଓଡିଶାରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଅନୁଷ୍ଠାନର ଆବଶ୍ୟକତାକୁ ଅଣଦେଖା କରାଯିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ।  ଏବଂ ଏହା  କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ । ଏହି ରିସର୍ଚ୍ଚ ସେଣ୍ଟରଟି ରାଉରକେଲାରୁ ରାଞ୍ଚିକୁ ସ୍ତାନାନ୍ତର ହେଲେ ରାଜ୍ୟରେ ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରରେ କୌଣସି କାର୍ଯ୍ୟ ସାଧିତ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ରାଜ୍ୟର ପଶ୍ଚିମ ଓ ଉତ୍ତର ଓଡିଶା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ହରାଇବ। ତେଣୁ ଏହି ରିସର୍ଚ୍ଚ ସେଣ୍ଟରକୁ ରାଉରକେଲାରୁ ସ୍ଥାନାନ୍ତରିତ କରାନଯାଉ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।