ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ଗୁରୁବାର ଭୂମିହୀନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନରେ ଜମି ପଟ୍ଟା ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇ ପାଟଣା ବ୍ଲକର ୨୦ଟି ପଞ୍ଚାୟତର ମୋଟ ୩୦୨ ଜଣ ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ କଣ୍ଟିଆପଡ଼ା ପଞ୍ଚାୟତ ପୁରୁଣିଆ ଗ୍ରାମର ମଧୁସୂଦନ ମହାନ୍ତଙ୍କୁ ପ୍ରକୃତି ମିତ୍ର ସମ୍ମାନ ଦିଆଯିବା ସହ ୧୦ ହଜାର ଟଙ୍କାର ଚେକ ବିଧାୟକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାୟକ, ବ୍ଲକ ଅଧକ୍ଷ ବିଶ୍ୱନାଥ ନାୟକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ରେଞ୍ଜର ପବିତ୍ର ମୋହନ ନାୟକ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳ ଓ ୱସ୍କା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ପ୍ରମୁଖ ଯୋଗଦେଇ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ।