ବଂପରଡ଼ା ଓ ଗୋଳାବନ୍ଧ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଂପରଡ଼ା ପଞ୍ଚାୟତସ୍ଥିତ ୪ର୍ଥ ଆଇଆରବି ବାଟାଲିୟନର ୩ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ବଂପରଡ଼ା ପଞ୍ଚାୟତର ସରପଞ୍ଚ ପର୍ଶୁରାମ କିସାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆଜି ଦିନ ୧୨ଟା ୩୦ରୁ ଆସନ୍ତା ୧୨ ତାରିଖ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି। ଅନୁରୂପ ଭାବେ ନିକଟସ୍ଥ ଗୋଳାବନ୍ଧ ପଞ୍ଚାୟତର ସରପଞ୍ଚ ନିହାର ରଞ୍ଜନ ପ୍ରଧାନ ମଧ୍ୟ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗୋଳାବନ୍ଧ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ୪ର୍ଥ ଆଇଆରବି ବାଟାଲିୟନର ଯବାନମାନେ ବଂପରଡ଼ା ଓ ଗୋଳାବନ୍ଧ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଘରଭଡ଼ା ନେଇ ରହୁଥିବାବେଳେ ଅନେକ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଗ୍ରାମ ମଧ୍ୟରେ ଥିବା ଦୋକାନକୁ ଆସିଥାନ୍ତି। ତେଣୁ ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉପରୋକ୍ତ ୨ଟି ପଞ୍ଚାୟତର ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟଡାଉନ ଘୋଷଣା କରିଥିବା ସୂଚନା ଦେଇଛନ୍ତି।