ପୋଖରୀରେ ବୁଡି ଯୁବକ ମୃତ

ଝାରସୁଗୁଡା, ଏନ୍‌ଏନ୍‌ଏସ୍‌: ରେଙ୍ଗାଲି ଥାନା ଅନ୍ତର୍ଗତ ଯୁଗିଢିପା ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ଯୁଗିଢିପା ଗ୍ରାମ ଲୁହୁରାପଡାର ଯୋଗେଶ୍ୱର ରାଉତଙ୍କ ପୁଅ ମିନକେତନ ରାଉତ(୩୫) ବୋଲି ରେଙ୍ଗାଲି ପୁଲିସ ସୁଚନା ଦେଇଛି । ସୂଚନା ଅନୁଯାୟୀ, ମିନକେତନ ଗତ ସୋମବାର ରାତିରେ ଶୌଚ ପାଇଁ ବାହାରକୁ ଯାଇ ଆଉ ଘରକୁ ଫେରି ନିଥିଲେ । ଆଜି ସକାଳେ ଗ୍ରାମ ପୋଖରୀରେ ଲୋକେ ତାଙ୍କର ମୃତଦେହ ଦେଖି ପରିବାରବର୍ଗ ଓ ପୁଲିସକୁ ଖବର ଦେଇଥିଲେ । ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ପହଂଚି ମିନକେତନଙ୍କ ମୃତଦେହ ଉଦ୍ଧାର କରିବାସହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ତେବେ ମିନକେତନଙ୍କ ପୂର୍ବରୁ ମିର୍ଗି (ଫିଡ୍ସ) ରୋଗ ରହିଥିଲା । ତେଣୁ ସେ ଶୌଚ ପରେ ହାତ ଗୋଡ ଧୋଇବା ପାଇଁ ଗ୍ରାମ ପୋଖରୀକୁ ଯାଇଥିବାବେଳେ ମିର୍ଗି ଧରିବାରୁ ପାଣିରେ ପଡି ପ୍ରାଣ ହରାଇଥିବା ପୁଲିସ ଅନୁମାନ କରୁଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ରେଙ୍ଗାଲି ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅନ୍ୟପଟେ ମିନକେତନ ଗତକାଲି ରାତିରେ ଗ୍ରାମର ଜଣେ ଯୁବକଙ୍କସହ ବାହାରକୁ ଯାଇଥିଲେବୋଲି କିଛି ଗ୍ରାମବାସୀ ପ୍ରକାଶ କରିଛନ୍ତି ।