ଦିଲ୍ଲୀରେ ଲାଗୁ ହେଲା “ଜିଏନସିଟି ଆକ୍ଟ”: ଏବେ ଦିଲ୍ଲୀ ସରକାର ଅର୍ଥ ଉପରାଜ୍ୟପାଳ

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି (ଜିଏନସିଟି) ଅଫ ଦିଲ୍ଲୀ ଆକ୍ଟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଛି। ଏହି ଆକ୍ଟ ଅନୁଯାୟୀ ଏବେ ଦିଲ୍ଲୀରେ ସରକାର ମୁଖ୍ୟ ହେଉଛନ୍ତି ଉପରାଜ୍ୟପାଳ।

ଏହି ଆକ୍ଟ ଅନୁସାରେ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କଠୁ ଊର୍ଦ୍ଧ୍ୱରେ ଉପରାଜ୍ୟପାଳଙ୍କୁ ଅଗ୍ରାଧିକାର ଦିଆଯିବ। ଏବେ ଦିଲ୍ଲୀ ସରକାର ପ୍ରତ୍ୟେକ ଯୋଜନାର କାର୍ଯ୍ୟକାରୀ କରିବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ନେବା ବାଧ୍ୟତାମୂଳକ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଗୋବିନ୍ଦ ମୋହନଙ୍କ ସ୍ୱାକ୍ଷରିତ ଏକ ବିଜ୍ଞପ୍ତି ଜାରି କରାଯାଇ ଏ ସମସ୍ତ ସୂଚନା ଦିଆଯାଇଛି।

ଗତମାସରେ ସଂସଦରେ ଏ ସମ୍ପର୍କିତ ବିଲ୍ ପାରିତ ହୋଇଥିଲା। ମାର୍ଚ୍ଚ ୨୨ ତାରିଖରେ ବିରୋଧି ଦଳ ମାନଙ୍କର ପ୍ରବଳ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ବାଚନିକ ଭୋଟ ଜରିଆରେ ଏହି ଆକ୍ଟକୁ ସଂସଦରେ ପାରିତ କରାଇଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଭାରତୀୟ ଗଣତନ୍ତ୍ରରେ ଏକ କଳା ଦିବସ ବୋଲି କହିବା ସହ ତାଙ୍କୁ ଦିଲ୍ଲୀର ଲୋକମାନଙ୍କ ପାଇଁ କାମ କରିବାରେ କେହି ରୋକି ପାରିବ ନାହିଁ ବୋଲି କହିଛନ୍ତି।