ପାଟଣାଗଡ଼ ଉପଖଣ୍ଡକୁ ମରୁଡ଼ି ଘୋଷଣା ଦାବୀରେ ଉପଜିଲ୍ଲାପାଳ ଅଫିସ ଘେରିଲା ବିଜେପି

ପାଟଣାଗଡ଼,ଏନ୍ଏନ୍ଏସ୍: ସମଗ୍ର ପାଟଣାଗଡ଼ ଉପଖଣ୍ଡକୁ ମରୁଡ଼ି ଘୋଷଣା ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବୀରେ ବିଜେପି ପକ୍ଷରୁ ଆଜି ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଜଣାପଡ଼ିଛି। ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂ ଦେଓଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ଏକ ବିଶାଳ ରାଲି ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲା। ସେଠାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଉଦବୋଧନ ଦେଇ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ, ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ଲକ୍ଷ୍ମଣ ବାଗ ଓ ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ କିଶୋର ହୋତା ପ୍ରମୁଖ କୃଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ରାଜ୍ୟ ସରକାର ଚାଷୀ ମାରଣ ନୀତି ଆପଣେଇଥିବା ଦର୍ଶାଇ ତୀବ୍ର ସମାଲୋଚନା କରିଥିଲେ। ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଭାରପ୍ରାପ୍ତ ଉପଜିଲ୍ଲାପାଳ ଓ ପାଟଣାଗଡ଼ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳୀ ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ପାଟଣାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରାଯିବା ସହ ଚାଷୀଙ୍କୁ ସମବାୟ ସମିତି ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇ ଦେବାକୁ ଦଳ ଦାବୀ କରିଛି। ଏହାଛଡ଼ା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’, ଚାଷୀଙ୍କ ବିଜୁଳି ଦେୟ ଓ ଖଜଣା ଛାଡ଼ କରିିବାକୁ ମଧ୍ୟ ବିଜେପି ଦାବୀ କରିଛି। ଏହାବ୍ୟତୀତ ରାଜ୍ୟ ସରକାର ବାରମ୍ବାର ଇସ୍ତାହାରରେ ୩୫ ପ୍ରତିଶତ ଜଳସେଚନର ବ୍ୟବସ୍ଥା କଥା ରଖି ଆସୁଥିବାବେଳେ ବଲାଙ୍ଗିର ଜିଲ୍ଲାରେ କେତେ ପରିମାଣରେ ଜଳସେଚନର ବ୍ୟବସ୍ଥା କରିଛନ୍ତି ତା’ର ହିସାବ ବିଜେପି କୃଷକ ମୋର୍ଚ୍ଚା ମାଗିଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ତଥା ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହା, ବେଲପଡ଼ା ବ୍ଲକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀ, ପୂର୍ବତନ ନଗରପାଳ ମାନସ ମଞ୍ଜରୀ ପାଣିଗ୍ରାହୀ ଓ ନଗର ସଭାପତି ମୁନା ମହାନ୍ତି ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ଥିଲେ।